Categories: ଜାତୀୟ

ମଧ୍ୟାହ୍ନ ଭୋଜନ କ୍ଷୀରରେ ପାଣି ମିଶାଇବା ଘଟଣା: ୨ ନିଲମ୍ବିତ

ଲକ୍ଷ୍ନୌ,୨୯।୧୧: କେନ୍ଦ୍ର ସରକାର ସ୍କୁଲ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ହେଲେ ସେ ସବୁ ଯୋଜନା କାର୍ଯ୍ୟକାରୀ ନ ହୋଇ ବାଟବଣା ହେବାରେ ଲାଗିଛି। ସେଥି ମଧ୍ୟରୁ ମଧ୍ୟାହ୍ନ ଭୋଜନ ଅନ୍ୟତମ। ପ୍ରତିଦିନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଯୋଗୀ ସରକାର ଲଢ଼ୁଥିବା ବେଳେ ଏହି କ୍ଷେତ୍ରରେ ନିଜ ରାଜ୍ୟ ସବୁଠାରୁ ଆଗରେ ରହିଛି। ପୂର୍ବରୁ ମିର୍ଜାପୁରର ଏକ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଖାଇବାକୁ ରୁଟି ଓ ଲୁଣ ଦିଆଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏବେ ସୋନଭଦ୍ରର ଏକ ସ୍କୁଲରେ ଏକ ଲିଟର କ୍ଷୀରରେ ବାଲ୍‌ଟିଏ ପାଣି ମିଶାଇ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ଉକ୍ତ ସ୍କୁଲର ଦୁଇଜଣ ଶିକ୍ଷାମିତ୍ରଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ସୋନଭଦ୍ର ସାଲାଇବନଓ୍ବା ପ୍ରାଇମେରି ସ୍କୁଲରେ ଜଣେ ରୋଷେୟା ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇ ୮୫ଜଣ ଛାତ୍ରୀଛାତ୍ରଙ୍କୁ ପିଇବାକୁ ଦେଇଥିବା ଅଭିଯୋଗ ହୋଇଛି। କ୍ଷୀରରେ ପାଣି ମିଶାଉଥିବା ବେଳେ ଉକ୍ତ ସ୍କୁଲର ଜଣେ କର୍ମଚାରୀ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜିଲାଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଶିକ୍ଷାମିତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଅନ୍ୟପଟେ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଦୁଇ ଦିନ ଭିତରେ ଏନେଇ ଶିକ୍ଷା ବିଭାଗର ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ। ଯଦି ଏହି ଘଟଣାରେ କେହି ଦୋଷୀ ସାବ୍ୟସ୍ତ୍ୟ ହୁଅନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାଅଧିକାରୀ କହିଛନ୍ତି।

Share