ପୁଣି ଏକ ତାମିଲ୍‌ ରିମେକ୍‌ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍‌ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍‌ କପୁର। ଏଥିରେ ସେ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଶାହିଦ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। ଜର୍ସିର ନିର୍ଦ୍ଦେଶନା ଦେଉଛନ୍ତି ଗୌତମ ତିନ୍ନୋନୁରୀ। ସେ ଏହାର ତାମିଲ ଭାଗକୁ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ଚଳିତ ବର୍ଷ ରିଲିଜ ହୋଇଥିବା ଏହାର ତାମିଲ ଭାଗରେ ନାନୀ ଏବଂ ଶ୍ରଦ୍ଧା ଶ୍ରୀନାଥ ଅଭିନୟ କରିଥିଲେ। ଏଥିରେ ଅର୍ଜୁନ ନାମକ ଜଣେ ଯୁବକଙ୍କ କାହାଣୀ ଦେଖାଯାଇଥିଲା। ସେ ଭାରତୀୟ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବାକୁ କରିଥିବା ସଂଘର୍ଷ ଉପରେ କାହାଣୀଟି ଗତିଶୀଳ ହୋଇଥିଲା।

କବିର ସିଂ ପରେ କ’ଣ କରିବେ ତାହା ଭାବି ପାରୁ ନ ଥିଲେ ଶାହିଦ। ହେଲେ ଜର୍ସିର କାହାଣୀ ଶୁଣିବା ପରେ ସେ ଏହାକୁ କରିବାକୁ ହଁ ଭରିଥିଲେ। ଫିଲ୍ମଟି ଅନେକଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ସେ ଆଶା କରୁଥିବା ଏକ ସାକ୍ଷାତକାରରେ କହିଛନ୍ତି। ଏବେ ସେ କ୍ରିକେଟ୍‌ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ନାୟିକା ସାଜିବେ ମୃଣାଳ ଠାକୁର। ପ୍ରଯୋଜନା ଅଲ୍ଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ପ୍ରଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଅଗଷ୍ଟରେ ଏହା ପରଦାକୁ ଆସିବ ବୋଲି କୁହାଯାଉଛି।

Share