ପୁଣି ଏକ ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ଦେବଗଡ଼, ୬ା୫(ଡି.ଏନ.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ରାଇତାଳ ଗ୍ରାମରେ ବାଲ୍ୟବିବାହ ପାଇଁ ଯୋଜନା ଚାଲିଥିବା ବେଳେ ଚାଇଲ୍ଡଲାଇନ ପକ୍ଷରୁ ଏହାକୁ ରୋକାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଏପ୍ରିଲ ୨୬ତାରିଖରେ ରାଇତାଳ ଗ୍ରାମରେ ଏକ ବାଲ୍ୟବିବାହ ପାଇଁ ଉଦ୍ୟମ ହେଉଥିଲା। ସମ୍ପୃକ୍ତ ଗ୍ରାମର ଅଙ୍ଗନୱାଡି କର୍ମୀ ଅମୃତବାଳା କିଷାନ ଓ ୱାର୍ଡମେମ୍ବର ବିନୋଦିନୀ ପ୍ରଧାନ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବୁଝାଇ ବନ୍ଦ କରିଥିଲେ। ମାତ୍ର ପୁଣି ଗୋପନରେ ବିବାହ ପାଇଁ ଉଦ୍ୟମ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ଼ ଚାଇଲ୍ଡଲାଇନର ସଂଯୋଜକ ରମାକାନ୍ତ ସାହୁ, ସଦସ୍ୟ ଉପେନ୍ଦ୍ର ଭଞ୍ଜ ଓ ଆକ୍ସନ ଏଡ୍‌ର ବାଲ୍ୟବିବାହ ନିରୋଧ ଜିଲା ପରାମର୍ଶଦାତା କୁମୁଦ ଚନ୍ଦ୍ର ଶତପଥୀ ପ୍ରମୁଖ ସେଠାରେ ପହଞ୍ଚିଥିଲେ। ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବାଲ୍ୟବିବାହ ଆଇନସମ୍ମତ ହୋଇ ନ ଥିବା ଦର୍ଶାଇ ବୁଝାଶୁଝା କରିବା ସହ ଏହାକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ ପକ୍ଷ ରାଜି ହେବା ପରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଏକ ଚୁକ୍ତିନାମା ସ୍ବାକ୍ଷର କରି ବିବାହକୁ ସ୍ଥଗିତ ରଖାଯାଇଥିଲା।

Share