ପୁଣି କୋହଳ ହେଲା ଗାଡ଼ି କାଗଜପତ୍ର ଯାଞ୍ଚ ନିୟମ: ଆଉ ତିନି ମାସ ଘୁଞ୍ଚିଲା ଡେଡ୍‌ଲାଇନ୍‌

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ପୁଣି ଘୁଞ୍ଚିଲା ଡେଡ୍‌ଲାଇନ୍‌। ଡିସେମ୍ବର ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ୨୦୧୯ ଲାଗୁ ପାଇଁ ଯେଉଁ ଘୋଷଣା କରାଯାଇଥିଲା ତାହା ଘୁଞ୍ଚିଛି। ଏହାକୁ ଆଉ ତିନି ମାସ କୋହଳ କରାଯାଇଛି। ଏନେଇ ବିଧାନସଭାରେ ଗୁରୁବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇ କହିଛନ୍ତି, ଆର୍‌ଟିଓ ଅଫିସରେ ଭିଡକୁ ଦୃଷ୍ଟିରେ ରଖି ଯାଞ୍ଚ ଅବଧିକୁ କୋହଳ କରାଯାଉଛି। ଡିସେମ୍ବର ୧ରୁ ଆଉ ୩ ମାସ ଏହାକୁ କୋହଳ କରାଯିବ। ଏହି ସମୟ ମଧ୍ୟରେ ମଦ ପିଇ ଗାଡ଼ି ଚଳାଇବା ଏବଂ ହେଲ୍‌ମେଟ ଯାଞ୍ଚ ଆଦି ଜାରି ରହିବ। ତେବେ କେବଳ ଗାଡ଼ିର କାଗଜପତ୍ର ଆଦି ଯାଞ୍ଚ ସୀମାକୁ କୋହଳ କରାଯାଇଥିବା ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପୂର୍ବ ନିର୍ଦ୍ଧାରିତ ଅବଧି ପୂରିବାକୁ ଆଉ ମାତ୍ର ଦୁଇଦିନ ବାକିଥିବା ଯୋଗୁ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ଆର୍‌ଟିଓ କାର୍ଯ୍ୟାଳୟରେ ଲୋକମାନଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗୁରୁବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଉଦ୍‌ବେଗ ପ୍ରକାଶ କରଥିଲେ। ଆର୍‌ଟିଓ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ଲୋକମାନେ ହଇରାଣ ହରକତ ହେଉଛନ୍ତି। ତୁରନ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ପରିସ୍ଥିତିକୁ ଦୃଷ୍ଟିରେ ରଖି କାଗଜପତ୍ର କରିବା ଲାଗି ଆଉ ତିନି ମାସ ସମୟ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।

Share