Categories: ଖେଳ

ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ

ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ(ୟୁପି)କୁ ହରାଇ ଦେଇଛି। ଗ୍ରୁପ ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ୟୁପି ୯ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ଦୀପକ ଇନିଂସର ଅନ୍ତିମ ଓଭର ବୋଲିଂ କରି ପ୍ରଥମ ବଲରେ ମୋହଶିନ ଖାଁଙ୍କୁ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଦ୍ୱିତୀୟ ବଲରେ ସିଙ୍ଗଲ ରନ୍‌ ଦେବା ପରେ ଶାନୁ ରାଜେଶ୍ୱର ପ୍ରକାଶ ସାଇନିଙ୍କୁ ୩ ବଲରେ ଆଉଟ୍‌ କରିଥିଲେ। ପରବର୍ତ୍ତୀ ବଲରେ ଶୁଭମ ସଞ୍ଜୟ ଚୌବେଙ୍କୁ ପ୍ୟାଭେଲିଅନ ପଠାଇଥିଲେ। ଦୀପକ ୪୬ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ତାଙ୍କ ଭଳି ବାଂଲାଦେଶ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଖଲିଲ ଅହମ୍ମଦ ମଧ୍ୟ ଦୁଇ ଉଇକେଟ ନେଇଥିଲେ। ଜବାବରେ କେ. ବିଷ୍ଣୋଇଙ୍କ ୮୭ ରନ୍‌ର ଇନିଂସ ଯୋଗୁ ରାଜସ୍ତାନ ୧୬ ବଲ ପୂର୍ବରୁ ୫ ଉଇକେଟ ହାତରେ ରଖି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ୟୁପି ପାଇଁ ରିଙ୍କୁ ସିଂ ୨୯ ବଲରେ ୫୦ ( ୪ ଚୌକା ଓ ୨ ଛକା) ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଧାର କରିଥିଲା। ମୁରଲି ବିଜୟଙ୍କ ବିସ୍ଫୋରକ ୩୩ ରନ୍‌ ବଳରେ ତାମିଲନାଡୁ ୪.୧ ଓଭରରେ ମଣିପୁରକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ମଣିପୁର ମାତ୍ର ୫୫ ରନ୍‌ କରିଥିଲା।

Share