Categories: ଖେଳ

ପୁଣି ଚମକିଲେ ଲେଡି ତେନ୍ଦୁଲକର

ନୂଆଦିଲ୍ଲୀ,୧୧।୧୧: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର। କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ। ମାତ୍ର ୧୫ ବର୍ଷ ବୟସରେ ଜାତୀୟ ଟିମରେ ସେ ପାଇଛନ୍ତି ସ୍ଥାନ। ଏହି ମହିଳା କ୍ରିକେଟର ଜଣକ ହେଲେ ଶେଫାଳି ବର୍ମା। ଭାରତୀୟ ମହିଳା କ୍ରିକେଟ ଟିମ୍‌ ସେଣ୍ଟ ଲୁସିଆର ଡ୍ୟାରେନ୍‌ ସାମି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଚମକିଛନ୍ତି ଶେଫାଳି। ସେ ଲଗାତର ଦୁଇଟି ମ୍ୟାଚ୍‌ରେ ଅଦ୍ଧର୍ର୍ଶତକ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ସେ ମାତ୍ର ୪୯ଟି ବଲରୁ ୬ଟି ଚୌକା ଏବଂ ୪ଟି ଛକା ସହ ୭୩ରନ୍‌ ରନର ପାଳି ଖେଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ୪୪ଟି ବଲ୍‌ରୁ ୧୦ଟି ଚୌକା ଏବଂ ୨ଟି ଛକା ସହ ୬୯ରନର ପାଳି ଖେଳିଥିଲେ। ଏହାସହ ଭାରତର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୦ ବର୍ଷ ରେକର୍ଡ ଭାଙ୍ଗିଛନ୍ତି। ତେନ୍ଦୁଲକର ୧୬ ବର୍ଷ ୨୧୪ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଫାଳି ୧୫ ବର୍ଷ ୨୮୫ ଦିନରେ ଏହି କୃତିତ୍ୱ ହାସଲ କରିଛନ୍ତି। ହରିୟାଣା ବାସିନ୍ଦା ଶେଫାଳି ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିନଙ୍କୁ ନିଜ ଆଦର୍ଶ ମାନୁଥିବା ଏହି ଯୁବ ଖେଳାଳି ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

Share