ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା:ଅଧିକାରୀ, ଜନସାଧାରଣଙ୍କୁ ଦେଲେ ବ୍ୟାୟାମ ତାଲିମ

ପାରଳାଖେମୁଣ୍ଡି,୨୦-୧୧ (ସ୍ବ.ପ୍ର.):ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା। ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍‌ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ସେ ଫିଟ୍‌ନେସ ଶିବିର ‘ଜୁମ୍ବା ଏରୋବିକ୍ସ’ ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି। ଅଧିକାରୀ ଓ ଜନ ସାଧାରଣଙ୍କୁ ମଙ୍ଗଳବାର ସଙ୍ଗୀତର ତାଳେତାଳେ ସାରା ଶର୍ମା ବ୍ୟାୟାମ ପ୍ରଶିକ୍ଷଣ ଦେଇଛନ୍ତି। ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ପରିସରରେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜରେ ସମସ୍ତେ ନିଜ ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ। ବ୍ୟାୟାମ କରିବା ଦ୍ୱାରା ମଣିଷ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ଜୀବନଯାପନ କରିପାରିବ। ପ୍ରତ୍ୟେକ ବ୍ୟକ୍ତି ବ୍ୟାୟାମ କରି ଅନ୍ୟମାନଙ୍କୁ ଶାରୀରିକ ବ୍ୟାୟାମ ପାଇଁ ସଚେତନତା କରିବାକୁ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ଏଥିରେ ବହୁ ସରକାରୀ ଅଧିକାରୀ, ପୋଲିସ ଅଧିକାରୀ, କର୍ମଚାରୀ, ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଜିଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୂର୍ବତନ ବିଧାୟକ କେ.ସୁରିୟା ରାଓ, ଡିଏସ୍‌ପି ସୀତାରାମ ଶତପଥୀ, ରିଜର୍ଭ ଇନ୍ସପେକ୍ଟର ଡମ୍ବରୁଧର ହୋନାଗା, ଥାନା ଅଧିକାରୀ ବିବେକନନ୍ଦ ସ୍ବାଇଁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share