ପୁଣି ଚେନ୍ନାଇରୁ ବୋଟ୍‌ରେ ଗଞ୍ଜାମ ଫେରିଲେ ୩୩ ମତ୍ସ୍ୟଜୀବୀ: ୪ ଜଣ ଜ୍ୱରରେ ପୀଡିତ, ସମସ୍ତଙ୍କୁ ରଖାଗଲା କ୍ୱାରାଣ୍ଟାଇନରେ

ଛତ୍ରପୁର, ୨୮।୪(ଡି.ଏନ୍‌.ଏ.): ଲକ୍‌ଡାଉନ କଟକଣା ଯୋଗୁ ଚେନ୍ନାଇରେ ଫସିଥିବା ଗଞ୍ଜାମ ଜିଲାର ବହୁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣଭାବେ ଜଳପଥ ଦେଇ ଘରକୁ ଫେରୁଛନ୍ତି। ୩୩ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ ଯୋଗେ ଚେନ୍ନାଇରୁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରୀ ଜେଟିଠାରେ ସୋମବାର ରାତିରେ ପହଞ୍ଚିଛନ୍ତି। ଉକ୍ତ ୩୩ଜଣ ମତ୍ସ୍ୟଜୀବୀ ଚେନ୍ନାଇର କାଶୀମେଡୁ ଫିସିଙ୍ଗ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଆସୁଥିଲେ। ତେବେ କରୋନା ଯୋଗୁ ଉକ୍ତ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ପାଉ ନ ଥିଲେ। ପରେ ଏମାନେ ୧ଲକ୍ଷ ୮୦ ହଜାର ଟଙ୍କାରେ ଏକ ବୋଟ କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ସମୁଦ୍ର ପଥରେ ବାହାରିଥିଲେ। ସମୁଦ୍ର ପଥରେ ବୋଟ ଯୋଗେ ମତ୍ସ୍ୟଜୀବୀ ଆସୁଥିବା ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଫିସେରୀ ଜେଟି ଠାରେ ଅପେକ୍ଷା କରିଥିଲେ। ମତ୍ସ୍ୟଜୀବୀ ରାତିରେ ପହଞ୍ଚିବା ପରେ ସମସ୍ତ ୩୩ ଜଣଙ୍କୁ ଉଦ୍ଧାର କରାଯାଇ ଆର୍ଯ୍ୟପଲି ହାଇସ୍କୁଲରେ ଖୋଲାଯାଇଥିବା ଆଇସୋଲଶନ ସେଣ୍ଟରକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କୁ ୧୪ଦିନ କ୍ୱାରାଣ୍ଟାଇନରେ ରଖାଯିବ। ବାହାରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କର ଇନ୍ଫ୍ରାରେଡ଼ ଥର୍ମାମିଟର ଗନ ଦ୍ୱାରା ଶରୀରର ତାପମାତ୍ରା ଚେକ୍‌ କରିଛନ୍ତି। ଏଥିରୁ ଜ୍ୱର ଥିବା ୪ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

Share