ପୁଣି ଟୁଇନ୍‌ସିଟିରୁ ଧରାହେଲେ ୧୩୫୫ ଅମାନିଆ ଚାଳକ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସଂକ୍ରମଣ ରୋକିବାକୁ କମିଶନରେଟ ପୋଲିସ ଯେତେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ମଧ୍ୟ ଅମାନିଆଙ୍କୁ କାଟୁ କରୁନି। ଲକ୍‌ଡାଉନ୍‌ ସତ୍ତ୍ୱେ ଗାଡ଼ି ଧରି ରାସ୍ତାକୁ ବାହାରୁଛନ୍ତି। ନିୟମ ଓ କଟକଣା ନ ମାନି ନାନା ବାହାନାରେ ଘୂରି ବୁଲୁଛନ୍ତି। ଇତିମଧ୍ୟରେ ଭୟ ଦେଖାଇବାକୁ ପୋଲିସ କେତେଜଣଙ୍କୁ ଲାଠିରେ ପିଟିବା ସହ ବସ୍‌ଉଠ କରିବା, ଗାଡ଼ି ଜବତ ଓ ଜରିମାନା କରିଛି। ତଥାପି ସେମାନେ ସୁଧୁରୁନାହାନ୍ତି। ବୁଧବାର କଟକ ଓ ଭୁବନେଶ୍ବର ଟୁଇନ୍‌ସିଟିରୁ ୧୩୫୫ ଅମାନିଆ ଗାଡ଼ି ଚାଳକ ଧରାପଡିଛନ୍ତି। ଭୁବନେଶ୍ୱରରେ ୭୩୩ ଗାଡି ଓ କଟକରେ ୬୨୨ ଗାଡି ଜବତ ହୋଇଛି। ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ୧୫୦୦ରୁ ୨ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ତେବେ ଲକ୍‌ଡାଉନ୍‌ଠାରୁ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ୬୨୩୫ ଗାଡି ଜବତ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ଦୁଇଚକିଆ ଓ ଚାରି ଚକିଆ ଯାନ ରହିଛି।
ବୁଧବାର ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଥିବାବେଳେ ଅମାନିଆ ଚାଳକ ଧରାପଡିବା ପରେ ଖସିବାକୁ ଚେଷ୍ଟା କରିଥିଲେ। କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ଗାଡି ଧରି ନ ବାହାରିବା ପାଇଁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Share