ପୁଣି ଡ୍ୟାନ୍ସ ବାର୍‌ରୁ ୫ ଯୁବତୀ ଉଦ୍ଧାର

କଟକ ରୋଡ୍‌,୨୫।୮(ଡି.ଏନ.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ଡ୍ୟାନ୍ସ ବାର୍‌ରୁ ୫ ଯୁବତୀଙ୍କୁ ଶନିବାର ରାତିରେ ପୋଲିସ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶାର ହୋଇଥିବାବେଳେ ପୋଲିସ ସେମାନଙ୍କ ପରିଚୟପତ୍ର ଯାଞ୍ଚ ପରେ ଛାଡ଼ି ଦେଇଛି। ଗତ ଜୁଲାଇ ୨୬ରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳ ୧୦ ବାର୍‌ରୁ ୯୬ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରର ରହିଥିଲେ। କୌଣସି ଯୁବତୀଙ୍କୁ ଡ୍ୟାନ୍ସ ବାରରେ ନିୟୋଜିତ କରାଯାଇପାରିବ ନାହିଁ ବୋଲି ଅବକାରୀ ବିଭାଗର ନିୟମ ରହିଛି। କିନ୍ତୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକାଧିକ ବାର ଏହି ନିୟମକୁ ବାରମ୍ବାର ଉଲ୍ଲଂଘନ କରିଚାଲିଛନ୍ତି। ଗତ ୨୬ ତାରିଖ ଚଢ଼ାଉ ଘଟଣାରେ କୌଣସି ବାର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏପରି କି ଏହି ବେଆଇନ କାର୍ଯ୍ୟ ରୋକିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। କେବଳ ଅବକାରୀ କମିଶନରଙ୍କୁ ଏ ବାବଦରେ ଚିଠି ଲେଖାଯାଇଛି ବୋଲି କହି ପୋଲିସ ଚୁପ୍‌ ରହୁଛି। ଏକ ନିର୍ଦ୍ଦିଷ୍ଟ ଥାନାଞ୍ଚଳରେ ବାରମ୍ବାର ଚଢ଼ାଉ ସତ୍ତ୍ୱେ ଡ୍ୟାନ୍ସ ବାରରେ ଯୁବତୀଙ୍କୁ ନିୟୋଜିତ କରାଯିବା ନେଇ ପୋଲିସର କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି ହେଉଛି। ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ କୁହନ୍ତି, ଉକ୍ତ ବାର ନୂଆକରି ଆରମ୍ଭ ହୋଇଛି। ହଠାତ୍‌ ସେଠାରେ ଚଢ଼ାଉ କରିବା ପରେ ୫ ଯୁବତୀ ନୃତ୍ୟ କରୁଥିବା ନେଇ ଦେଖାଯାଇଥିଲା। ଉକ୍ତ ବାରରୁ ମ୍ୟୁଜିକ୍‌ ସିଷ୍ଟମ୍‌ ଜବତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିଶନରଙ୍କୁ ଚିଠି ଲେଖାଯିବ ବୋଲି ନାୟକ କହିଛନ୍ତି।