Categories: ଖେଳ

ପୁଣି ଥରେ ଆଇଓଏ ବୈଠକ ଡକାଇଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୪।୮(ପିଟି): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ)କୁ ଆଉ ଥରେ ବୈଠକ ପାଇଁ ଡକାଇଛନ୍ତି। ବର୍ତ୍ତମାନ ଆଇଓଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟଙ୍କ ସହ ୨୦୨୨ କମନଓ୍ବେଲ୍‌ଥ ଗେମ୍ସରୁ ଓହରିବାକୁ ଭାରତ ଚାହୁଁଥିବାରୁ ଏସମ୍ପର୍କରେ ଆଲୋଚନା ଚାଲିଛି। ଆଇଓଏ ସଭାପତି ନରିନ୍ଦର ବାତ୍ରା ଓ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆର ମୁଖ୍ୟ ଅଜୟ ସିଂ ଶୁକ୍ରବାର କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କୁ ଭେଟି ଆଲୋଚନା କରିଥିଲେ। ଆମେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କିମ୍ବା ଓହରିବୁ, ସେ ନେଇ ଆଲୋଚନା କରିଥିଲୁ। ସବୁକିଛି ଶୁଣିବା ପରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ସଭାପତିଙ୍କୁ ଭେଟିବାକୁ କହିଥିଲେ। ସିଜିଏଫ୍‌ ସଭାପତି ଭାରତ ଆସି ଆଇଓଏ ସଭାପତି, ଜେନେରାଲ ସେକ୍ରେଟାରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ ବୋଲି ବାତ୍ରା କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣରୁ ଶୁଟିଂ ଇଭେଣ୍ଟ ବାଦ୍‌ ଦିଆଯାଇଛି। ଏହାକୁ ବିରୋଧ କରି ଆଇଓଏ ବର୍ମିଂହାମ ଇଭେଣ୍ଟରୁ ଓହରିବାକୁ ପ୍ରସ୍ତାବ ଦେଇଥିଲା। ଏଥିଲାଗି ସରକାରୀ ସହାୟତା ଦରକାର। ଜୁନରେ ଅନୁଷ୍ଠିତ ସିଜିଏଫ୍‌ର କାର୍ଯ୍ୟକାରୀ ବୋର୍ଡ ବୈଠକରେ ଶୁଟିଂକୁ ବାଦ୍‌ ଦେଇ ୩ ନୂଆ ଖେଳିକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା।

Share