Advertisement
Categories: ଖେଳ

ପୁଣି ପଡ଼ିଆକୁ ଫେରିବେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧୯।୬- ବିସ୍ଫୋରକ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡି ଭିଲର୍ସ ପୁଣିଥରେ କ୍ରିକେଟ୍‌ ମୈଦାନକୁ ଫେରିବେ। ମହାମାରୀ କରୋନା ଭାଇରସ୍‌ ଲାଗି କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଜୁନ୍‌ ୨୭ରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଆୟୋଜନ କରିବାକୁ ସ୍ଥିର କରିଛି। ଏହି ପ୍ରଦର୍ଶନୀ ମ୍ୟାଚ୍‌ରୁ ଆୟ ହେବାକୁ ଥିବା ସମସ୍ତ ଅର୍ଥ କରୋନା ପୀଡ଼ିତ ଲୋକଙ୍କ ସହାୟତାରେ ଲାଗିବ।
ନୂଆ ଫର୍ମାଟ୍‌ରେ ଏହି ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ। ଏହାର ନାମ ‘୩ଟିସି’ ରଖାଯାଇଛି। ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ୩ଟି ଟିମ୍‌ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳରେ ୮ ଜଣ ଖେଳାଳି ରହିବେ। ସେହି ଗୋଟିଏ ମ୍ୟାଚ୍‌ରେ ପ୍ରତି ଟିମ୍‌ ପରସ୍ପର ବିପକ୍ଷରେ ଖେଳିବେ। ପ୍ରତି ଇନିଂସ ୧୨ ଓଭର ବିଶିଷ୍ଟ ରହିଥିବାବେଳେ ଏହାକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି। ଅର୍ଥାତ୍‌ ଗୋଟିଏ ଦଳ ବ୍ୟାଟିଂ କଲେ ଅନ୍ୟ ୨ ଦଳ ୬ ଓଭର ଲେଖାଏ ବୋଲିଂ କରିବେ। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୩ଟି ଦଳର ଅଧିନାୟକ ଓ ଖେଳାଳିଙ୍କ ନାମ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ପକ୍ଷରୁ ଘୋଷଣା କରାଯାଇଛି। ଏବିସ୍‌ ଇଗଲ୍‌ ଦଳର ନେତୃତ୍ୱ ଏବି ଡି ଭିଲର୍ସ ନେଉଛନ୍ତି। ଏହି ଦଳରେ ଏଡେନ ମାର୍କରାମ, ଲୁନ୍‌ଗୀ ଏନ୍‌ଗିଡି, ଆଣ୍ଡିଲେ ଫେଲୁକଓ୍ବାଓ, ରସି ଭାନ୍‌ ଡର୍‌ ଡୁସେନ, ଜୁନିୟର ଡାଲା, କାଏଲ ଭେରିନ୍ନେ ଓ ସିସାନ୍ଦା ମଗଲ। ସେହିଭଳି କ୍ୱିନ୍ସ କାଉଟ୍ସ ଦଳର ଅଧିନାୟକ କ୍ୱିଣ୍ଟନ ଡି କକ୍‌ ରହିଛନ୍ତି। ତେମ୍ବା ବାଭୁମା, ଡେଭିଡ୍‌ ମିଲର, ଏନ୍‌ରିଚ୍‌ ନର୍ଟେଜ, ଡ୍ବେନ ପ୍ରିଟୋରିୟସ, ବେଉରାନ ହେଣ୍ଡ୍ରିକ୍ସ, ଜେଜେ ସ୍ମଟ୍ସ ଓ ଲୁଥୋ ସିପମଲା ଏହି ଦଳରେ ସ୍ଥାନ ପାଇଛନ୍ତି। ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ଅଂଶଗ୍ରହଣ କରିବାକୁ ଥିବା ୩ୟ ଦଳର ନାମ କେଗିସ୍‌ କିଙ୍ଗ୍‌ଫିସର ରଖାଯାଇଛି। କାଗିସୋ ରାବାଡାଙ୍କୁ ଏହାର ନେତୃତ୍ୱ ଦିଆଯାଇଥିବାବେଳେ ଫାଫ୍‌ ଡୁ ପ୍ଲେସି, କ୍ରିସ୍‌ ମୋରିସ ପ୍ରମୁଖ ଏହି ଦଳରେ ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel