Categories: ଖେଳ

ପୁଣି ପ୍ରଥମ ରାଉଣ୍ଡରୁ ବିଦାୟ ନେଲେ ସିନ୍ଧୁ

ଫୁଝୋଉ (ଚାଇନା), ୫।୧୧ (ପି.ଟି.)- ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ପୁଣିଥରେ ଆଉ ଏକ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୭ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ଏହି ମ୍ୟାଚ୍‌ରେ ୧୩-୨୧, ୨୧-୧୮, ୧୯-୨୧ ଗେମ୍‌ରେ ନିମ୍ନ ର଼୍ୟାଙ୍କପ୍ରାପ୍ତ ଚାଇନିଜ ତାଇପେଇ ଖେଳାଳି ପାଇ ୟୁ ପୋଙ୍କ ନିକଟରୁ ହାରିଯାଇଛନ୍ତି। ଏକ ଘଣ୍ଟା ୧୪ ମିନିଟ୍‌ ସଂଘର୍ଷ କରିବା ପରେ ପୋ’ଙ୍କୁ ଶେଷରେ ବିଜୟ ସ୍ବାଦ ମିଳିଥିଲା। ୨୪ ବର୍ଷୀୟା ଏହି ଭାରତୀୟ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଗତ ଅଗଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲେ। ଏହାପରେ ସେ ଚାଇନା ଓପନ୍‌ (୨ୟ ରାଉଣ୍ଡ), କୋରିଆ ଓପନ୍‌ (ପ୍ରଥମ ରାଉଣ୍ଡ), ଡେନମାର୍କ ଓପନ (ପ୍ରଥମ ରାଉଣ୍ଡ), ଫ୍ରେଞ୍ଚ୍‌ ଓପନ୍‌ (କ୍ୱାର୍ଟର ଫାଇନାଲ)ରୁ ବିଦାୟ ନେଇଥିଲେ। ପୁରୁଷ ସିଙ୍ଗଲ୍ସରେ ଏଚ.ଏସ୍‌. ପ୍ରଣୟ ମଧ୍ୟ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପ୍ରଣୟ ୧୭-୨୧, ୧୮-୨୧ ଗେମ୍‌ରେ ଡେନମାର୍କର ରାସମସ୍‌ ଗେମେକଙ୍କ ନିକଟରୁ ପରାଜୟବରଣ କରିଛନ୍ତି।
ଡବଲ୍ସ ଓ ପୁରୁଷ ଡବଲ୍ସରେ କିନ୍ତୁ ଭାରତକୁ ବିଜୟ ମିଳିଛି। ମିକ୍ସଡ ଡବଲ୍ସରେ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନି ପୋନାପ୍ପା ଯୋଡ଼ି ୨୧-୧୯, ୨୧-୧୯ ସିଧାସଳଖ ଗେମ୍‌ରେ କାନାଡାର ଜୋସୁଆ ହଲ୍‌ବର୍ଟ-ୟୁ ଓ ଜୋସେଫିନ ୟୁ’ଙ୍କୁ ହରାଇଛନ୍ତି। ସେହିଭଳି ପୁରୁଷ ଡବଲ୍ସରେ ଚିରାଗ ସେଟ୍ଟୀ ଓ ରାଙ୍କିରେଡ୍ଡୀ ଯୋଡ଼ି ୨୧-୯, ୨୧-୧୫ ଗେମ୍‌ରେ ଆମେରିକୀୟ ଯୋଡ଼ିଦାରଙ୍କୁ ମାତ୍‌ ଦେଇଛନ୍ତି।

Share