ପୁଣି ଫୁଟ୍‌ପାଥ୍‌ରେ ଫଳ ବେପାର

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ବୋଲ ମାନୁନାହାନ୍ତି ଭୁବନେଶ୍ୱରର ଫଳ ବେପାରୀ। ରାଜମହଲରୁ ଏଜି ଛକ ଯାଏ ଥିବା ଫୁଟ୍‌ପାଥ୍‌କୁ କବ୍‌ଜା କରି ଫଳ ବେପାର କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରୁଥିବାରୁ ଗତ ୧୮ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେମାନଙ୍କୁ ପରିବା ହାଟକୁ ସ୍ଥାନାନ୍ତରିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ହେଲେ ସୋମବାର ପୁନର୍ବାର ଫଳ ବ୍ୟବସାୟୀମାନେ ଫୁଟ୍‌ପାଥକୁ ଚାଲି ଆସି ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବପରି ସାମାଜିକ ଦୂରତ୍ୱ ରହୁ ନ ଥିବା ଦେଖିବାକୁ ମିଳିଛି। ଗ୍ରାହକମାନେ ମଧ୍ୟ ସେପରି ସଚେତନ ରହୁ ନ ଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।
ଅନ୍ୟପକ୍ଷରେ ଫଳ ବ୍ୟବସାୟୀ ପବିତ୍ର ସେଠ୍‌ଙ୍କ ସମେତ ଅନ୍ୟମାନେ କହିଛନ୍ତି, ପରିବା ହାଟରେ ବେପାର ହେଉନି। ମୁଖ୍ୟ ରାସ୍ତାରୁ ପରିବା ହାଟ ଦୂର ହେଉଥିବାରୁ ଲୋକେ ଫଳ କିଣିବାକୁ ପସନ୍ଦ କରୁନାହାନ୍ତି। ବେପାର ନ ହେଲେ ପରିବାର ଚଳାଇବୁ କେମିତି? ପୁଣି ଫଳ ନଷ୍ଟ ହେଉଥିବାରୁ କ୍ଷତି ସହବାକୁ ପଡୁଛି। ତେଣୁ ବାଧ୍ୟହୋଇ ପୁଣି ଫୁଟ୍‌ପାଥ୍‌ରେ ବସି ବ୍ୟବସାୟ କରୁଛୁ। ବିଏମ୍‌ସି ପ୍ରକୃତ ସମସ୍ୟା ବୁଝି ବେପାର ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଭଲ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି. ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚାଲିଛି। ଏନେଇ କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁନିଟ୍‌-୧ ହାଟ ସମ୍ମୁଖରେ ଥିବା ୭୦ ଫଳ ଦୋକାନୀଙ୍କୁ ବିଏମ୍‌ସି ୟୁନିଟ୍‌-୧ ପରିବା ହାଟକୁ ସ୍ଥାନାନ୍ତରିତ କରିଥିଲା। ରାସ୍ତା ଉପରେ ଫଳ ବିକ୍ରି କରିବା ସମୟରେ ସାମାଜିକ ଦୂରତ୍ୱ ନ ମାନିବା, ଗହଳି କରିବା ଆଦି କାରଣ ହେତୁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ସ୍କ୍ବାଡ୍‌ ଓ ବିଡିଏ ଉଚ୍ଛେଦକାରୀ ଟିମ୍‌ ଫଳ ବ୍ୟବସାୟୀଙ୍କ କାଠ ପିଣ୍ଡିକୁ ଭାଙ୍ଗି ଦେଇଥିଲା।

Share