ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଗୁରୁବାର ଏପରି ଘଟଣାକୁ ନେଇ ପୁରୁଷ ଓ୍ବାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ସମ୍ପର୍କୀୟ ତାତିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ଉଦୟ ହୋଇଛି। ତୁରନ୍ତ ମେଡିକାଲ ପକ୍ଷରୁ ବାହାରୁ ଔଷଧ କିଣାଯାଇ ସମ୍ପକ୍ତ ରୋଗୀଙ୍କୁ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକ ଗୋଳାବନ୍ଧ ଅଞ୍ଚଳର ବଶିଷ୍ଟ ସ୍ବାଇଁ(୨୧) ସିକ୍‌ଲିନ୍‌ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମାସକୁ ସେ ୩ଥର ଚିକିତ୍ସା ପାଇଁ ଆସିଥାନ୍ତି। ଗତ ଦୁଇଦିନ ତଳେ ସେ ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ହେଲେ ମେଡିକାଲରେ ତାଙ୍କୁ ମାଗଣାରେ ଔଷଧ ମିଳୁନାହିଁ। ଫଳରେ ଦୁଇ ଦିନ ହେଲା ସେ ବାହାରୁ ମେଡିସିନ କିଣୁଥିଲେ। କିନ୍ତୁ ତାଙ୍କ ବିଧବା ମା ଦମୟନ୍ତୀ ସ୍ବାଇଁଙ୍କ ନିକଟରୁ ଗୁରୁବାର ଟଙ୍କା ସରିଯିବାରୁ ସେ ମେଡିସିନ କିଣିପାରି ନ ଥିଲେ। ଏ ନେଇ ମେଡିକାଲରେ ଥିବା କର୍ମଚାରୀଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମେଡିସିନ୍‌ ଦେବା ବଦଳରେ ତାଙ୍କୁ କର୍ମଚାରୀମାନେ ନାଲି ଆଖି ଦେଖାଇଥିଲେ। ଫଳରେ ସେ ଓ୍ବାର୍ଡ ମଧ୍ୟରେ ପାଟିତୁଣ୍ଡ କରିବା ସହ ଜିଲାପାଳଙ୍କୁ ଅବଗତ କରିବେ ବୋଲି କହିଥିଲେ। ଏହାପରେ କର୍ମଚାରୀମାନେ ତାଙ୍କୁ ସିଡିଏମ୍‌ଓଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ରୋଗୀଙ୍କ ମା’ ଦମୟନ୍ତୀ ଏ ନେଇ ଏଡିଏମ୍‌ଓ(ମେଡିକାଲ)ଙ୍କୁ ଜଣାଇବା ପରେ ତାଙ୍କ ପୁଅଙ୍କ ପାଇଁ ମେଡିସିନ୍‌ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି, ଏପରି ଘଟଣା ଶୁଣିଥିଲି। ସିକଲିନ୍‌ ରୋଗୀଙ୍କୁ ମେଡିସିନ୍‌ ପ୍ରଦାନ କରାଯାଇଛି। ମେଡିକାଲରେ ମେଡିସିନ୍‌ ନ ଥିଲେ ଆମେ ବାହାରୁ କିଣି ରୋଗୀଙ୍କୁ ଦେବାର ନିୟମ ରହିଛି। ଏପରି କି ଗୁରୁବାର ତିନୋଟି ଏପରି ମେଡିସିନ୍‌ ବାହାରୁ କିଣା ହେବା ଘଟଣା ସମ୍ପର୍କରେ ଡାକ୍ତରମାନେ ଅବଗତ କରିଥିବା ସିଡିଏମ୍‌ଓ ପ୍ରକାଶ କରିଛନ୍ତି।