ପୁଣି ବିବାଦରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ: ସେମିଷ୍ଟର ପରୀକ୍ଷାଫଳରେ ତ୍ରୁଟି ଅଭିଯୋଗ

ବ୍ରହ୍ମପୁର ଅଫିସ,୧୯ା୬-ପରୀକ୍ଷା ପରିଚାଳନା ଏବଂ ଖାତା ମୂଲ୍ୟାୟାନକୁ ନେଇ ପୁଣି ଥରେ ବିବାଦକୁ ଆସିଛି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ। ଶେଷ ସେମିଷ୍ଟର ପରୀକ୍ଷାଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଛନ୍ତି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଏବଂ ଗୋପାଳପୁର ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ। ମଙ୍ଗଳବାର ଏନେଇ ସେମାନେ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ସାକ୍ଷାତ କରିଛନି।
ଛାତ୍ରୀଛାତ୍ରଙ୍କ ଅଭିଯୋଗ ହେଲା, ବତ୍ତର୍ର୍ମାନ ଯେଉଁ ପରୀକ୍ଷାଫଳ ପ୍ରକାଶ ପାଇଛି, ସେଥିରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। କେବଳ ଏହି ସେମିଷ୍ଟର ନୁହେଁ, ପୂର୍ବ ସେମିଷ୍ଟର ପରୀକ୍ଷାଗୁଡ଼ିକରେ ମଧ୍ୟ ଖାତା ଦେଖାରେ ଗୁରୁତର ତ୍ରୁଟି ହୋଇଥିଲା। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ପଦକ୍ଷେପ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଶେଷ ସେମିଷ୍ଟର ପରୀକ୍ଷା ଫଳରେ ମଧ୍ୟ ତ୍ରୁଟି ଦେଖାଦେଇଛି। ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ଖେଳୁଛନ୍ତିି। ଯେଉଁମାନେ ମୋଟରେ ୮୦ପ୍ରତିଶତ ମାର୍କ ରଖିଛନ୍ତିି, ସେମାନେ ଗୋଟିଏ ବିଷୟରେ ଫେଲ୍‌ ହୋଇଯାଇଛନ୍ତି। ଫଳରେ ସେମାନଙ୍କର ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ଅନେକ ଛାତ୍ରୀଛାତ୍ର ପାସ୍‌ ମାର୍କ ରଖିଥିଲେ, ମଧ୍ୟ ଗୋଟିଏ ବିଷୟରେ ଫେଲ୍‌କରି ଦିଆଯାଇଛି। ଅନ୍ୟପଟେ ଗୋଟିଏ ସେମିଷ୍ଟର ପରୀକ୍ଷା ଫଳ ଅନ୍‌ଲାଇନ୍‌ରେ ପ୍ରକାଶ କରାଯାଉଥିବା ବେଳେ ଆଉ କେତେକ ପରୀକ୍ଷା ଫଳ ଅଫ୍‌ଲାଇନ୍‌ରେ ପ୍ରକାଶ କରାଯାଉଛି। ଦୁଇ ତିନଟି ସେମିଷ୍ଟର ପରୀକ୍ଷାଫଳ ଗୋଟିଏ ସମୟରେ ପ୍ରକାଶିତ ହେଉଛି। ତୁରନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି।
ଅଭିଯୋଗକୁ ଗୁରୁତର ଭାବେ ନେଇଥିଲେ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର। ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କୁ ଡାକି ତାଗିଦ କରିଥିଲେ। ଏଥିସହ ଯେଉଁ ଛାତ୍ରୀଛାତ୍ରମାନେ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଅଛନ୍ତିି, ସେମାନେ ନିଜ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଜରିଆରେ ଲିଖିତ ଭାବେ ଆବେଦନ କଲେ, ଖାତା ପୁନଃ ମୂଲ୍ୟାୟାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥି ସହ ଥରେ ଅନ୍‌ଲାଇନ୍‌, ଆଉ ଥରେ ଅଫ୍‌ଲାଇନ୍‌ ବଦଳରେ ଗୋଟିଏ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରିବାକୁ କୁଳପତି ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

 

Share