Categories: ଅନୁଗୋଳ

ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ବେଡ୍‌ରୁ ରୋଗୀ ଗାଏବ

ଅନୁଗୋଳ ଅଫିସ, ୧୯।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଅଙ୍ଗାରବନ୍ଧ ଗ୍ରାମର ଟିଙ୍କାରୁ ନାଏକ (୨୦) ହଠାତ୍‌ କେଉଁଆଡ଼େ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଏପରି ଘଟଣା ଘଟିଥିବା ଟିଙ୍କାରୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଦେଇଛନ୍ତି।
ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତ ୧୪ ତାରିଖରେ ଟିଙ୍କାରୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୧୫ ତାରିଖ ସକାଳେ ସୁରକ୍ଷାକର୍ମୀମାନେ ସମ୍ପର୍କୀୟମାନଙ୍କୁ ଓ୍ବାର୍ଡରୁ ବାହାରକୁ ଯିବା ପାଇଁ କହିଥିଲେ। ପରିବାର ଲୋକେ ବାହାରକୁ ଆସିଥିବା ବେଳେ ଟିଙ୍କାରୁ ବେଡ୍‌ରୁ ଉଠି କେଉଁଆଡ଼େ ଚାଲିଯାଇଥିଲେ। ପରେ ପରିବାର ଲୋକେ ଏ ସମ୍ପର୍କରେ ଜାଣି ଖୋଜାଖୋଜି କରିବା ସହ ସୁରକ୍ଷାକର୍ମୀଙ୍କୁ ପଚାରିଥିଲେ। ହେଲେ ରୋଗୀ କେଉଁଆଡ଼େ ଯାଇଛି ସୁରକ୍ଷାକର୍ମୀ ଜାଣି ନ ଥିବା କହିଥିଲେ। ଏପରି କି ୱାର୍ଡରେ ଥିବା ଡାକ୍ତର ଓ ନର୍ସମାନଙ୍କୁ ପଚାରିବାରୁ ସେମାନେ ଦୁର୍ବ୍ୟବହାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରଥମେ ଏଡିଏମ୍‌ଓ ମେଡିକାଲଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବାକୁ ଯାଇଥିଲେ। ତାଙ୍କୁ ନ ପାଇବାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମେଡିକାଲ ମ୍ୟାନେଜର ଦେବାଶିଷ ଦାସ କହିଛନ୍ତି, ଘଟଣା ନେଇ କିଛି ଜାଣି ନାହିଁ। ବୁଝିକରି କହିବି।