ପୁଣି ବିବାଦରେ ପପୁ ପମ୍‌ପମ୍‌: ରାନୁଙ୍କୁ ଅନୁକରଣ କରୁଥିବାର ଭିଡିଓ ଭାଇରାଲ, କଟୁ ସମାଲୋଚନା କରୁଛନ୍ତି ପ୍ରଶଂସକ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ପୁଣି ବିବାଦରେ କମେଡିଆନ୍‌ ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱ ପ୍ରକାଶ ଶତପଥି। ନିକଟରେ ନିଜର ଆଗାମୀ ଫିଲ୍ମ ‘ମିଷ୍ଟର କହ୍ନେୟାଁ’ ପୋଷ୍ଟରକୁ ନେଇ ସେ ବିବାଦ ଘେରକୁ ଆସିଥିବା ବେଳେ ଏବେ ସେ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ଗାୟିକା ରାନୁ ମଣ୍ଡଳକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି। ଏ ନେଇ ଏକ ଭିଡିଓ ଭାଇରାଲ ହେଉଛି।

ପଶ୍ଚିମବଙ୍ଗର ରେଳ ଷ୍ଟେଶନରେ ଗୀତ ଗାଉଥିବା ରାନୁ ଏବେ ଲୋକପ୍ରିୟ ଗାୟିକା ପାଲଟିଛନ୍ତି। ତାଙ୍କ ସୁମଧୁର କଣ୍ଠରେ ବିମୋହିତ ହୋଇ ସଂଗୀତକାର ହିମେଶ ରେଶମିୟା ନିଜ ଫିଲ୍ମର ଏକ ଗୀତରେ ତାଙ୍କୁ ଗାଇବାର ସୁଯୋଗ ଦେଇଛନ୍ତି। ‘ତେରି ମେରି.. ତେରି ମେରି..’ ନାମକ ଗୀତକୁ ସେ ଗାଉଥିବା ବେଳେ ହିମେଶ ସେଠାରେ ଉପସ୍ଥିତ ଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ପପୁ ଏହାକୁ ମିମିକ୍‌(ଅନୁକରଣ) କରିଛନ୍ତି। ରାନୁଙ୍କ ଭଳି ଶାଢ଼ୀ ପିନ୍ଧି ମାଇକ୍‌ ଆଗରେ ଗୀତ ଗାଇବାର ଅଭିନୟ କରୁଥିବା ବେଳେ ଜଣେ ଯୁବକ ହିମେଶଙ୍କ ଭଳି ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଭିଡିଓଟି ଭାଇରାଲ ହେବା ପରେ ରାନୁଙ୍କ ପ୍ରଶଂସକ ପପୁଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏହା ତାଙ୍କ ବିଭ୍ରମ ମସ୍ତିଷ୍କର କଳା କାରନାମା ବୋଲି କେହି କେହି କହିବା ସହ ଅନେକେ ଅସହିଷ୍ଣୁତାର ଲକ୍ଷଣ, ପାଗଳର ପ୍ରଳାପ ବୋଲି କହୁଛନ୍ତି।

 

Share