ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ ୭-୦ର ଅଗ୍ରଣୀ ହାସଲ କରିଛି। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ଚଳିତ ବିଶ୍ୱକପ୍‌ରେ ପୁଣି ଥରେ ପରସ୍ପରକୁ ଭେଟିବାର ସମ୍ଭାବନା ରହିଛି। ଏଥିଲାଗି ଦୁଇ ଦଳକୁ ବଳକା ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବଳକା ୩ଟି ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କାକୁ ଭେଟିବ। ବର୍ତ୍ତମାନ ଇଂଲଣ୍ଡ ୭ ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନରେ ରହିଛି। ସେହିଭଳି ୫ମ ସ୍ଥାନରେ ଥିବା ବାଂଲାଦେଶ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ହାସଲ କରିଛି। ଶ୍ରୀଲଙ୍କା ମଧ୍ୟ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିନାହିଁ। ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ୬ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି। ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କକୁ ପରାସ୍ତ କଲେ ଭାରତୀୟ ଦଳ ସର୍ବାଧିକ ୧୭ ପଏଣ୍ଟ ସହ ଅଙ୍କ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିବ। ଅନ୍ୟପକ୍ଷରେ ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ରୁ ୭ ପଏଣ୍ଟ ସହ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ସର୍ଫରାଜ ଅହମ୍ମଦଙ୍କ ଦଳ ତା’ର ବଳକା ଦୁଇଟି ମ୍ୟାଚ୍‌ରେ ଆଫଗାନିସ୍ତାନ ଓ ବାଂଲାଦେଶ ଭେଟିବ। ଏହି ଦୁଇଟି ମ୍ୟାଚ୍‌ ଦଳ ପାଇଁ ଜିତିବା ନିହାତି ଆବଶ୍ୟକ। ପାକିସ୍ତାନ ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିବାରେ ସଫଳ ହେଲେ ୧୧ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିବ। ଫଳରେ ପ୍ରଥମ ସ୍ଥାନରେ ଥିବା ଭାରତ ଓ ୪ର୍ଥ ସ୍ଥାନ ଅଧିକାରୀ ପାକିସ୍ତାନ ସେମିଫାଇନାଲରେ ମୁହାଁମୁହିଁ ହେବେ।

Share