ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି

ପୁରୀ ଅଫିସ, ୩୦।୭: ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି। ପ୍ରାୟ ୨ବର୍ଷ ଧରି ଆନନ୍ଦବଜାରରୁ ଉଭାନ ହୋଇଯାଇଥିବା ଟଙ୍କତୋରାଣି ଉପଯୁକ୍ତ ମାନ ସହ ଫେରିବ। ସୋମବାର ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏହାକୁ ସବୁଜ ସଙ୍କେତ ମିଳିଛି। ଏଥିପାଇଁ ଖୁବ୍‌ଶୀଘ୍ର ସୁଆର ମହାସୁଆର ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ଭାବେ ବୈଠକ କରିବ। ଏଥିରେ ଟଙ୍କତୋରାଣିର ମାନ ଓ ସ୍ଥାନ ସମ୍ପର୍କରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ପୂର୍ବ ବୈଠକରେ ସଦସ୍ୟ ଅନନ୍ତ ତିଆଡ଼ି ଟଙ୍କତୋରାଣି ପୁନଃ ଚାଲୁ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ସୋମବାର ବୈଠକରେ ତିଆଡ଼ି ଏହି ପ୍ରସଙ୍ଗ ଉଠାଇବା ପରେ ଆଲୋଚନା କରାଯାଇ ଦୃଢୀକରଣ କରାଯାଇଛି। ତେବେ ଏହାକୁ ଚାଲୁ କରିବାକୁ ହେଲେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। କୌଣସି ପରିସ୍ଥିତିରେ ଏହାର ମାନରେ ସାଲିସ୍‌ କରାଯିବ ନାହିଁ। କେବେ ବି ବାସି ଟଙ୍କତୋରାଣି ଶ୍ରଦ୍ଧାଳୁଙ୍କୁ ଦିଆଯିବ ନାହିଁ । ଆନନ୍ଦବଜାରର କେଉଁ ସ୍ଥାନରେ ଏହା ବିକ୍ରି କରାଯିବ ତାହା ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ହେବ। ଦୀର୍ଘବର୍ଷ ହେବ ଆନନ୍ଦବଜାରରେ ଟଙ୍କତୋରାଣି ବିକ୍ରି କରାଯାଉଥିଲା। ମାତ୍ର ବେଳେବେଳେ ବାସି ଟଙ୍କତୋରାଣି ବିକ୍ରି ହେବା ଏବଂ ଏହାର ମାନ ଠିକ୍‌ ନ ରହିବା ନେଇ ଅଭିଯୋଗ ହେବା ପରେ ୨୦୧୭ ସେପ୍ଟେମ୍ବର ୮ରେ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରିକୁ ବନ୍ଦ କରିଦେଇଥିଲା। ଏଥିପାଇଁ ସ୍ବତନ୍ତ୍ର ଭାବେ ବିଜ୍ଞପ୍ତି ଜାରି ପରେ ଏହାକୁ ଟଙ୍କତୋରାଣି ବ୍ୟବସାୟୀ ବିରୋଧ କରିଥିଲେ। ଏହା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଥିବାବେଳେ କେଉଁ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ବନ୍ଦ ନିଷ୍ପତ୍ତି ନେଇଛି ବୋଲି ସେମାନେ ପ୍ରଶ୍ନ ଉଠାଇଥିଲେ।

Share