ମାଲକାନଗିରି.୧୪।୯(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦରମହକୁମାରେ ଶୁକ୍ରବାର ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା। ତେବେ ପୁଣି ଶନିବାର ସହରର ବସ୍ଷ୍ଟାଣ୍ଡ ସମ୍ମୁଖରେ ରହୁଥିବା ଗଙ୍ଗାଧର ପଟ୍ଟନାୟକଙ୍କ ଘରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ ଦେଖାଦେଇଛି। ଗଙ୍ଗାଧର ବଜାରରୁ ୪ଟି ଅଣ୍ଡା କିଣି ଥିଲେ। ତେବେ ସେହି ଅଣ୍ଡା ଫଟାଇବାରୁ ତାହା ଫାଟି ନ ଥିଲା । ପରେ ଅନ୍ୟ ୨ ଟି ଅଣ୍ଡା ଫଟାଇବାକୁ ଚେଷ୍ଟା କରିବାରୁ ମଧ୍ୟ ତାହା ପ୍ଲାଷ୍ଟିକ ଭଳି ଆସ୍ତରଣ ଥିବା ଦେଖାଯାଇଥିଲା। ପରେ ସେ ନିଆଁରେ ପୋଡ଼ିବାରୁ ତାହା ପୋଡ଼ି ଯାଇଥିବା ସହ ପ୍ଲାଷ୍ଟିକ ଗନ୍ଧ ହେଉଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ସହରର ହାଇଟେକ୍ କଲୋନୀର ଦିଗାମ୍ବର ବେହେରା ବଜାରରୁ ଅଣ୍ଡା କିଣି ରୋଷେଇ କରିବା ବେଳେ ସେଥିରେ ପ୍ଲାଷ୍ଟିକ ଆବରଣ ଦେଖିବାକୁ ମିଳିଥିଲ। ତେବେ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଏ ନେଇ ପ୍ରସାର ପରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଧନୁର୍ଜୟ ମହନ୍ତଙ୍କ ନେତୃତ୍ୱରେ ଜିଲା ଜନସ୍ବାସ୍ଥ୍ୟ ନିରୀକ୍ଷଣ ଅଧିକାରୀ ଚନ୍ଦ୍ର ଶେଖର ସ୍ବାଇଁଙ୍କ ସମେତ ଏକ ଦଳ ଜିଲା ସଦର ମହକୁମାର ବିଭିନ୍ନ ଅଣ୍ଡା ଦୋକାନ ଓ ବିତରକଙ୍କ ଗୋଦାମ ଉପରେ ଚଢ଼ାଉ କରଛନ୍ତି। ଏଥିରେ ୪ ବିତରକ ଓ ଜଣେ ରିଟେଲରଙ୍କଠାରୁ କିଛି ଅଣ୍ଡା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ଲାଗି ଭୁବନେଶ୍ୱର ପଠାଇଛନ୍ତି।