ପୁଣି ମ୍ୟାଚ୍‌ରେ ଦେଖିବାକୁ ମିଳିଲା ବଳିଦାନ ଚିହ୍ନ

ଲଣ୍ଡନ,୧୦।୬- ଆଇସିସି ନିର୍ଦ୍ଦେଶକ୍ରମେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଗ୍ଲୋଭ୍ସରୁ ବଳିଦାନ ଚିହ୍ନ ତଥା ଆର୍ମିର କୌଣସି ପ୍ରତୀକକୁ ହଟାଇ ଦେଇଛନ୍ତି। ହେଲେ ଭାରତୀୟ ପ୍ରଶଂସକମାନେ ଧୋନୀଙ୍କୁ ସମର୍ଥନ କରିବା ସହ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କଡ଼ା ଜବାବ ଦେଇଛନ୍ତି। ଓଭାଲଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ପ୍ରଶଂସକମାନେ ବଳିଦାନର ଚିହ୍ନ ଥିବା ବ୍ୟାନର ଦେଖାଇଥିଲେ। ଭାରତୀୟ ପତାକା ରଙ୍ଗର ଡ୍ରେସ ପିନ୍ଧିଥିବା ଜଣେ ପ୍ରଶଂସକ କଳା ରଙ୍ଗର ବ୍ୟାନର ଉପରେ ଧୂସର ରଙ୍ଗରେ ଉକ୍ତ ବଳିଦାନର ଚିହ୍ନ ଆଙ୍କିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୋନୀଙ୍କ ଗ୍ଲୋଭ୍ସରେ ଉକ୍ତ ଚିହ୍ନ ଦେଖାଯିବା ପରେ ବିବାଦ ସାମ୍ନାକୁ ଆସିଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସକ କମିଟି ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମର୍ଥନ କରିବାରେ ବିଫଳ ହୋଇଥିଲା। ହେଲେ ଭାରତୀୟ ଦଳର ସଦସ୍ୟମାନେ ଧୋନୀଙ୍କୁ ଉକ୍ତ ଗ୍ଲୋଭ୍ସ ପରିଧାନ କରି ଖେଳିବାକୁ ଯୁକ୍ତି ବାଢ଼ିଥିଲେ।

Share