Categories: ବାଣିଜ୍ୟ

ପୁଣି ଲାଗୁ ହେଉ ସମ୍ପତ୍ତି ଟିକସ: ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ, ୨୯- ୧ : ବର୍ତ୍ତମାନ ଲୋକଙ୍କ ମଧ୍ୟରେ ରହିଥିବା ଅସମାନତାକୁ ବିଚାର କରି ଭାରତ ଆଗାମୀ ସାଧାରଣ ବଜେଟରେ ସମ୍ପତ୍ତି ଟିକସ ଲାଗୁ କରିବାର ଆବଶ୍ୟକତା ରହିଥିବା ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜୀତ ବାନାର୍ଜୀ କହିଛନ୍ତି। ଏହା ସହ ସମ୍ପତ୍ତିର ପୁନଃ ବିତରଣକୁ ମଧ୍ୟ ସରକାର ଫୋକସ କରିବା ଉଚିତ ବୋଲି କଲିକତାଠାରେ ଏକ କାର୍ଯ୍ୟକ୍ରମରେ ବାନାର୍ଜୀ ମତ ରଖିଛନ୍ତି।
୧୯୫୭ରେ ସମ୍ପତ୍ତି ଟିକସ ଆଇନ ପାସ୍‌ ହୋଇଥିଲା। ବ୍ୟକ୍ତି ବିଶେଷ, ହିନ୍ଦୁ ଅଣ ବିଭାଜିତ ପରିବାର ଏବଂ କର୍ପୋରେଟଗୁଡିକର ଭାଲ୍ୟୁଏଶନକୁ ବିଚାରକରି ଏହି ଟିକସ ଲାଗୁ କରାଯାଉଥିଲା। ୨୦୧୬ରେ ଏହି ଟିକସକୁ ଉଚ୍ଛେଦ କରାଯାଇଛି। ବର୍ତ୍ତମାନର ସରକାର ଏହି ଆଇନକୁ ପୁନର୍ବାର ଆଣିବେ କି ନାହିଁ ସେ ନେଇ ସନ୍ଦିହାନ ଥିବା ସେ ମତ ଦେଇଛନ୍ତି। ସେ କହିଛନ୍ତି, କର୍ପୋରେଟ ଟିକସ ହ୍ରାସ ହେବା ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଯେଉଁ ପରିମାଣର ଲାଭ ମିଳିବା କଥା ତାହା ମିଳୁନାହିଁ। ଦେଶର କର୍ପୋରେଟ ଅର୍ଥକୁ ନିଜ ପାଖରେ ଧରି ବସି ପଡିଛି। ଦେଶର ବ୍ୟାଙ୍କିଙ୍ଗ ଶିଳ୍ପକୁ ପୁନଃ ପୁଞ୍ଜିପ୍ରଦାନ, ଭିତ୍ତିଭୂମି କ୍ଷେତ୍ରକୁ ଉତ୍ସାହିତ କରିବା ଉଚିତ। ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସହାୟତା ଯୋଗାଇ ଦେଲେ ଏହା ତ୍ୱରିତ ଭିତ୍ତିରେ ସଫଳତା ଦେବ ବୋଲି ଭାବି ବସିବା ଠିକ୍‌ ହେବ ନାହିଁ। ବରଂ ଏଥି ଲାଗି କିଛି ସମୟ ଲାଗିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସରକାରୀ ଯୋଜନା ଉପରେ ମତ ରଖି ସେ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଭଳି ଯୋଜନାରେ ଅନେକ ଖର୍ଚ୍ଚ ହେଉଛି। ଏହା ଠିକ୍‌ ଭାବେ କାର୍ଯ୍ୟକାରି ହେଲେ ଅନେକ ଲୋକଙ୍କ ଲାଗି ଲାଭକାରି ହେବ। ଉଜ୍ଜ୍ୱଳା ଏବଂ ସ୍ବଚ୍ଛ ଭାରତକୁ ସେ ବ୍ୟୟବହୁଳ ଯୋଜନା ବୋଲି ମତ ଦେଇଛନ୍ତି। ସିଏଏ ଏବଂ ଏନଆର୍‌ସି ଉପରେ ଏକ ପ୍ରଶ୍ନର ଉତ୍ତରେ ସେ କହିଛନ୍ତି, ପ୍ରବାସୀ ମାନେ ଅର୍ଥବ୍ୟବସ୍ଥା ଲାଗି ଖରାପ ନୁହନ୍ତି। ସ୍ଥାନୀୟ ଜନସଂଖ୍ୟା ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସେମାନେ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି।

Share