ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ

ପୁରୁଣା ଭୁବନେଶ୍ୱର,୨୩ା୯(ଡି.ଏନ.ଏ.) : ଐତିହ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ଫଟୋ ଭାଇରାଲ ଘଟଣା ଆଲୋଚନାକୁ ଆସିଛି। ବାରମ୍ବାର ମନ୍ଦିର ଭିତରେ କୌଣସି ସେବାୟତ କିମ୍ବା ପର୍ଯ୍ୟଟକ ଫଟୋ ଉଠାଇବା ବା ସେଲଫି ନେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଥିବା ବେଳେ ରବିବାର ଏଭଳି ଜନୈକ ସେବାୟତଙ୍କ ଫଟୋ ଫେସ୍‌ବୁକ୍‌ରେ ଅପଲୋଡ଼
ଘଟଣା କଟକଣାକୁ ପଦାରେ ପକାଇ ଦେଇଛି। ମିଳିଥିବା ଖବର ମୁତାବକ, ସେବାୟତ ଜଣକ ମନ୍ଦିର ଗର୍ଭଗୃହରେ ଖୁବ୍‌ ସୁନ୍ଦର ଭାବରେ ସେଲଫି ନେଇଛନ୍ତି। ଏହାକୁ ସେ ଟିକେ ବି ଭୃକ୍ଷେପ ନ କରି ଫଟୋ ଭାଇରାଲ ମଧ୍ୟ କରିଥିଲେ, ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୂଚନା ଥାଉ କି ସେଲିବ୍ରେଟି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ବେଳେ ଏଭଳି ବ୍ୟତିକ୍ରମ ଅନେକ ସମୟରେ ଦେଖାଯାଉଛି। ଏଣୁ ପ୍ରଶାସନ ଏଭଳି ବିଶୃଙ୍ଖଳା ଆଚରଣ ନିମନ୍ତେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ସୁଫଳ ମିଳିବ ବୋଲି ଆଶା କରାଯାଉଛି। ଶନିବାର ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ମାତ୍ର ଏହି ଗସ୍ତ ସମୟରେ ମନ୍ଦିର ପ୍ରଶାସନର ଅନେକ କର୍ମଚାରୀ ଓ ଅନ୍ୟ ଅଧିକାରୀ ମୋବାଇଲ ସେଲଫି ଉଠାଇଥିଲେ, ଯାହାକୁ ସେବାୟତ ମହଲରେ ନିନ୍ଦା କରାଯାଇଛି। ଏଥିସହ ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Share