ପୁଣି ସଭାପତି ହଟାଇବାକୁ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୪।୨(ବ୍ୟୁରୋ): କିଛିଦିନର ବିରତି ପରେ ପୁଣି କଂଗ୍ରେସର ପୁରୁଣା ରୋଗ ଦେଖିବା ପାଇଁ ମିଳିଛି। ଦଳର କେତେଜଣ ବରିଷ୍ଠ ନେତା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦିରୁ ହଟାଇବା ପାଇଁ ଦାବି କରିବାକୁ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ମଙ୍ଗଳବାର ସକାଳେ ଦିଲ୍ଲୀ ଗସ୍ତ କରିଥିବା ନେତାମାନେ, ଗତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ, ଦଳୀୟ କାର୍ଯ୍ୟକ୍ରମ ଠିକ୍‌ ଢଙ୍ଗରେ କରା ନ ଯିବା, ଯୁବ ଓ ଛାତ୍ର ସଙ୍ଗଠନରୁ ବହୁ ପିଲା ହାତ ଛାଡି ଚାଲିଯାଉଥିବା କଥାକୁ ଦିଲ୍ଲୀ ନେତାଙ୍କ ଆଗରେ ଥୋଇବେ। ଏହାସହ ଅନ୍ୟାନ୍ୟ ପ୍ରସଙ୍ଗର ଦସ୍ତବିଜ୍‌ ମଧ୍ୟ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ ନେତା ଅହମ୍ମଦ ପଟେଲ ପ୍ରମୁଖଙ୍କ ଆଗରେ ରଖିବେ ବୋଲି ଜଣାପଡିଛି। ଯଦି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଦେହ ସୁସ୍ଥଥିବ ତେବେ ତାଙ୍କୁ ଭେଟିବା ସହିତ ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି। ଦିଲ୍ଲୀ ନେତା ଯଦି ଓଡ଼ିଶା ସମ୍ପର୍କିତ ସମସ୍ୟାକୁ ଅଣଦେଖା କରନ୍ତି ତେବେ ସେମାନେ ଅନଶନରେ ବସିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଦଳର ବହୁ ନେତା ପର୍ଯ୍ୟାୟକ୍ରମେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ପିସିସି ପରିବର୍ତ୍ତନ ଦାବି ରଖିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଜିତେନ୍ଦ୍ର ସିଂ ଓଡ଼ିଶା ଆସି ବର୍ତ୍ତମାନ ପିସିସି ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ସଫା ସଫା ଜଣାଇ ଦେଇଥିଲେ। ଏହାର କିଛିଦିନ ପର୍ଯ୍ୟନ୍ତ ରାଜ୍ୟ ନେତାଙ୍କ ଦିଲ୍ଲୀ ଗସ୍ତ ବନ୍ଦ ରହିଥିବାବେଳେ ପୁଣିଥରେ ଏହା ଦେଖିବାକୁ ମିଳିଛି।

Share