Categories: ଖେଳ

ପୁଣି ସାପ ପଶିବାରୁ ମ୍ୟାଚ୍‌ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୬।୧- ବର୍ଷା ଯୋଗୁ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି୨୦ ମ୍ୟାଚ୍‌ ବାତିଲ ହୋଇଯାଇଛି। ଦେଶର ଅନ୍ୟ ଭାଗରେ ସମାନ ଦିନ ଏକ ମ୍ୟାଚ୍‌ ଭିନ୍ନ କାରଣ ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଘଟଣାଟି ମୁମ୍ବାଇ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ ୪ର୍ଥ ରାଉଣ୍ଡ ରଣଜୀ ମ୍ୟାଚ୍‌ର ୩ୟ ଦିନରେ ଘଟିଥିଲା। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଧା ସାଜିଥିଲେ ଦୁଇ ସାପ। ସାପ ଧରାଳି ଦୁଇ ସାପଙ୍କୁ ଧରିବା ପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଦୁଇଯାକ ଢମଣା ପ୍ରଜାତିର ବୋଲି ସାପ ଧରାଳି ଟୁଇଟ୍‌କରି ସୂଚନା ଦେଇଛନ୍ତି। ତେବେ କ୍ରିକେଟ ଫିଲ୍ଡରେ ଏଭଳି ଘଟଣା ଘଟିବା ପ୍ରଥମ ଦୃଷ୍ଟାନ୍ତ ନୁହେଁ। ସମାନ ଘଟଣା ଚଳିତ ରଣଜୀ ସିଜନର ଆନ୍ଧ୍ର ଓ ବିଦର୍ଭ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଘଟିଥିଲା। ଉଲ୍ଲେଖଥାଉ, ଏଲିଟ୍‌ ଗ୍ରୁପ୍‌ ବି’ ମ୍ୟାଚ୍‌ରେ କର୍ନାଟକ ୫ ଉଇକେଟରେ ୪୧ଥର ରଣଜୀ ଚାମ୍ପିୟନ ମୁମ୍ବାଇକୁ ହରାଇ ଦେଇଛି। ୨୦୧୩-୧୪ ସିଜନ ପରେ ମୁମ୍ବାଇ ଦଳର କର୍ନାଟକଠାରୁ ପ୍ରଥମ ପରାଜୟ।

Share