Categories: ଖେଳ

ପୁଣି ସୁପର ଓଭରରେ ଶେଷ ହେଲା ମ୍ୟାଚ୍‌

କାନ୍‌ବେରା,୧ା୨- ନିକଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି୨୦ ସିରିଜ୍‌ର ଦୁଇ ମ୍ୟାଚ୍‌ର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା। ଶନିବାର ପୁଣି ଏକ ମ୍ୟାଚ୍‌ର ବିଜେତା ସୁପର ଓଭରରେ ବାହାରିଛି। ତେବେ ଏଥର ମହିଳା କ୍ରିକେଟରେ ଏହି ଘଟଣା ଦେଖିବାକୁ ମିଳିଛି। ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଇଂଲଣ୍ଡ ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୬ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟିକା ବେଥ ମୁନି ୬୫, ଆନାବେଲ ସୁଥରଲାଣ୍ଡ ୨୨ ଓ ଏଲିସେ ପେରି ୧୮ରନ୍‌ କରିଥିଲେ। ବୋଲିଂରେ ନାଟାଲିଆ ସ୍କିଭର ଓ ସାରା ଗ୍ଲେନ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅଧିନାୟିକା ହେଥର ନାଇଟଙ୍କ ୭୮ ରନ୍‌ର ଅପରାଜିତ ଅର୍ଦ୍ଧଶତକ ଓ ଫ୍ରାନ ଓ୍ବିଲସନ୍‌ଙ୍କ ୩୯ ରନ୍‌ର ଇନିଂସ ଯୋଗୁ ଇଂଲଣ୍ଡ ଶେଷ ପର୍ଯ୍ୟନ୍ତ ଖେଳି ୪ ଉଇକେଟ କ୍ଷତିରେ ସମାନ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅନ୍ତିମ ଓଭରରେ ଦଳକୁ ଜିତିବା ପାଇଁ ୧୨ ରନ୍‌ ଦରକାର ଥିଲା। ମାତ୍ର ଗୋଟିଏ ଚୌକା ଓ ଦୁଇଟି ଡବଲ ରନ୍‌ ସହାୟତାରେ ୧୧ ରନ୍‌ କରି ନାଇଟ୍‌-ଓ୍ବିଲିସନ ମ୍ୟାଚ୍‌କୁ ଡ୍ର’ କରି ଦେଇଥିଲେ। ଏହା ପରେ ସୁପର ଓଭରରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ମାତ୍ର ୮ ରନ୍‌ କରିପାରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ୪ ବଲରେ ୧୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି। ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ଏହା ଇଂଲଣ୍ଡର ପ୍ରଥମ ବିଜୟ। ଆସନ୍ତା ୨ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

Share