ପୁଣି ସୁରଟ୍‌ରୁ ୨ ବସ୍‌ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ

ଛତ୍ରପୁର, ୩୦।୪( ଡି.ଏନ୍‌.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର ଗୁଜରାଟର ସୁରଟରୁ ଆଉ ୨ ବସରେ ପ୍ରବାସୀ ଓଡିଆ ଗଞ୍ଜାମ ଜ଼ିଲା ଅଭିମୁଖେ ବାହାରିଛନ୍ତି। ଲକ୍‌ଡାଉନ୍‌କୁ ନେଇ ଫଶି ରହିଥିବା ଓଡିଆ ଶ୍ରମିକଙ୍କୁ ନେଇ ପୁଣି ଗୁଜରାଟର ସୁରଟ୍‌ଠାରୁ ଓଡିଶାକୁ ଆସୁଥିବା ଗୋଟିଏ ବସ୍‌ରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକର ଲୋକ ଥିବାବେଳେ ଅନ୍ୟ ବସ୍‌ରେ ଜଗନ୍ନାଥ ପ୍ରସାଦର ଲୋକ ଅଛନ୍ତି। ପ୍ରତ୍ୟେକ ବସ୍‌ରେ ୩୬ ଜଣ ଲେଖାଏ ଯାତ୍ରୀ ରହିଥିବାବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ବସ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଅନୁମାନ କରାଯାଉଛି। ମଙ୍ଗଳବାର ସୁରଟ ଜ଼ିଲା ପ୍ରଶାସନ ଓଡିଶା ଫେରିବା ପାଇଁ ବସ୍‌କୁ ଅନୁମତି ସହ ପାସ୍‌ ପ୍ରଦାନ କରିଥିଲେ। ଉଭୟ ଓଡିଶା ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ଫସି ରହିଥିବା ଓଡିଶାର ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ୪ ଟି ବସ୍‌ରେ ୨୧୭ ଜଣ ପ୍ରବାସୀ ଆସି ଗଞ୍ଜାମରେ ପହଞ୍ଚିଛନ୍ତି। ସେଥିରେ ଜ଼ିଲାର ୧୪ ବ୍ଲକର ଲୋକ ଅଛନ୍ତି। ସମସ୍ତ ପ୍ରବାସୀ ଓଡିଆଙ୍କୁ ଆସିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ କ୍ବାରାଣ୍ଟାଇନ ହୋମରେ ରଖିବା ପାଇଁ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।

Share