Advertisement

ପୁଣି ୨୨ କରୋନା ପଜିଟିଭ ଚିହ୍ନଟ: ଦେବଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଛୁଇଁଲା

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ଦେବଗଡ଼ ଜିଲାରେ ସୋମବାର ପୁଣି ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨ ଆକ୍ରାନ୍ତ ତିଲେଇବଣି ବ୍ଲକ ଅନ୍ତର୍ଗତ ସଡୋ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟର ଓ ରିଆମାଳ ବ୍ଲକ ଅନ୍ତର୍ଗତ ଉଟୁଣିଆ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୋମବାର ଚିହ୍ନଟ ସମସ୍ତ ଆକ୍ରାନ୍ତମାନେ ମହାରାଷ୍ଟ୍ର, ତାମିଲନାଡୁ ଓ ଗୁରୁରାଟରୁ ଫେରି ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ସେମାନଙ୍କର ସ୍ବାବ ନମୁନା ପରୀକ୍ଷା ନିମନ୍ତେ ଗତ ୨୦ ତାରିଖରେ ଭୁବନେଶ୍ୱର ପଠାଯାଇଥିଲା। ଚିହ୍ନଟ ଆକ୍ରାନ୍ତଙ୍କୁ ଦେବଗଡ଼ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ତେବେ ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କେଉଁଠିକୁ ପଠାଯିବ ସେନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ କହିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ୨୪ ଛୁଇଁଛି।
ପ୍ରକାଶ ଗତ ଏପ୍ରିଲ ୨୯ରେ ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ପ୍ରଥମ ଓ ୧୫ ତାରିଖରେ ପ୍ରଭାଶୁଣି ଗ୍ରାମରେ ଦ୍ୱିତୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share