ପୁନରୁଦ୍ଧାର କାର୍ଯ୍ୟକୁ ସିଏମ୍‌ସିର ଗୁରୁତ୍ୱ

କଟକ ଅଫିସ,୧୯ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’ ପାଇଁ ଉପକୂଳ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ‘ଅମ୍ଫନ୍‌’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ଆଗୁଆ ତତ୍ପରତା ଦେଖାଇଛି। ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବସିଛି। ଏଥିରେ ବିଡିଓ, ତହସିଲଦାର, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ସେବା ସଂସ୍ଥା, ବିଦ୍ୟୁତ୍‌, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳଯାଗାଣ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।
ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା, ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ପ୍ରସ୍ତୁତ ରହିବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ସେବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା ହୋଇଥିଲା। ଏଥିରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ରାସ୍ତାଘାଟ ସଫା, ଗମନାଗମନ ସହଜ କରିବା, ବିଦ୍ୟୁତ୍‌ ଓ ଅଗ୍ନିଶମ ସେବା, ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ ରହିବାକୁ ଜିଲାପାଳ ଚୟନୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଚାଳ ଛପର ଓ ମାଟିକାନ୍ଥ ଥିବା ଘର ଚିହ୍ନଟ କରି ଆବଶ୍ୟକ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ଓ ସେମାନଙ୍କୁ ଖାଦ୍ୟ, ପାନୀୟ ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉପରେ ଜୋର୍‌ ଦେଇଛନ୍ତି ଜିଲାପାଳ। ବାତ୍ୟା ମୁକାବିଲାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲା ଜରୁରିକାଳୀନ ଅଧିକାରୀ ପ୍ରଦୀପ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଗ୍ରାମାଞ୍ଚଳ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, ଡିଆର୍‌ଡିଏ ପିଡି ଅବଦୁଲ ଅଖତର, ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ, କଟକ ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ ଉପସ୍ଥିତ ଥିଲେ।

Share