ମାନେକା ଗାନ୍ଧୀ
ଡ. ମ୍ୟାକ୍ସିମିୟାନି ପୋର୍ଟାସ୍(ସାବିତ୍ରୀ ଦେବୀ) ଓ୍ବାଲର୍ଡ ରିଲିଜିଅନ ଉପରେ ଗବେଷଣା କରିଥିଲେ। ୧୯୦୫ରେ ତାଙ୍କର ଜନ୍ମ। ତାଙ୍କ ବାପା ଥିଲେ ଜଣେ ଗ୍ରୀକ୍ ଓ ମା ଥିଲେ ଇଂଲଣ୍ଡର ନାଗରିକ। ସେ ୧୯୪୫ରେ ବିଭିନ୍ନ ସମ୍ପ୍ରଦାୟ ଉପରେ ‘ ଇମ୍ପିଚ୍ମେଣ୍ଟ ଅଫ୍ ମ୍ୟାନ୍ ’ ନାମକ ଏକ ତତ୍ତ୍ୱଭିତ୍ତିକ ପୁସ୍ତକ ରଚନା କରି ସେଥିରେ ଧର୍ମରେ ଥିବା କରୁଣା ବା ଦୟା ତତ୍ତ୍ୱକୁ ଉପସ୍ଥାପନ କରିଛନ୍ତି। ବିଶ୍ୱର ବୃହତ୍ ସମ୍ପ୍ରଦାୟଗୁଡିକରେ ନିହିତ ସାରତତ୍ତ୍ୱ ଉପରେ ଅନୁଧ୍ୟାନ କରିବା ପାଇଁ ସେ ଭାରତରେ ୩୦ ବର୍ଷ କଟାଇଥିଲେ। ପରେ ତାଙ୍କ ନାଁ ସାବିତ୍ରୀ ଦେବୀକୁ ପରିବର୍ତ୍ତନ କରିଥିଲେ। ସାବିତ୍ରୀ ଦେବୀ ୭ଟି ଭାଷାରେ କଥା ହୋଇପାରୁଥିଲେ। ଶିକ୍ଷା ଦାନ ଓ ଅନୁବାଦ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ଏହିି ଲେଖିକାଙ୍କର ଶେଷ ଜୀବନ ଦାରିଦ୍ର୍ୟରେ କଟିଥିଲା ଓ ୧୯୮୨ରେ ତାଙ୍କର ଦେହାନ୍ତ ହୋଇଥିଲା। ବିଶ୍ୱରେ ଥିବା ତାଙ୍କ ପ୍ରଶଂସକମାନେ ତାଙ୍କୁ କିଛି କିଛି ସାହାଯ୍ୟ କରୁଥିଲେ। ମୁଁ କାହିଁକି ତାଙ୍କ ଲେଖା ପ୍ରତି ଆକର୍ଷିତ ହେଲି? ପୁନର୍ଜନ୍ମ ଉପରେ ମୋର ବିଶ୍ୱାସ ରହିଛି। ସେ ମଧ୍ୟ ଏହା ଉପରେ ତାଙ୍କ ସୂକ୍ଷ୍ମ ଅନ୍ତର୍ଦୃଷ୍ଟିକୁ ବର୍ଣ୍ଣନା କରିଛନ୍ତି ଏବଂ ଏହି ବିଶ୍ୱାସ ଧର୍ମନିଷ୍ଠ ହିନ୍ଦୁମାନଙ୍କ କ୍ରୂରତାର କାରଣ ବୋଲି ମଧ୍ୟ ଦର୍ଶାଇଛନ୍ତି।
ଏବେ ଲାଗୁ ହୋଇଥିବା ଲକ୍ଡାଉନ୍ ମୋ ଆଖି ଖୋଲିଦେଇଛି ଏବଂ ପୂର୍ବରୁ କେବେ ବି ଏତେ ବିଚଳିତ ହୋଇନାହିଁ। ଏତେ ସଂଖ୍ୟକ ଭାରତୀୟ ସେମାନଙ୍କ ନିଜ ଲୋକ ମୁଖ୍ୟତଃ ମହିଳାଙ୍କ ପ୍ରତି ଏତେ ନିଷ୍ଠୁର ହେବା ବି ଦେଖିନାହିଁ। ପ୍ରାଣୀମାନଙ୍କ ପ୍ରତି ମଧ୍ୟ ନିଷ୍ଠୁର ହୋଇଛନ୍ତି ଏମାନେ। ପ୍ରାଣୀମାନଙ୍କୁ ବାଡେଇ ମାରିବା ଏମାନଙ୍କ ପାଇଁ ସତେ ଯେମିତି ଏକ ମାନକ ହୋଇଯାଇଛି ଓ ଏକୁଟିଆ ମହିଳାଙ୍କୁ ପୀଡ଼ା ଦେବା ସେମାନଙ୍କ ରକ୍ତମଜ୍ଜାଗତ ହୋଇଯିବା ଭଳି ମନେହେଉଛି। ଏହିସବୁ ଘୃଣା ଓ ଶତ୍ରୁଭାବ କେଉଁଠାରୁ ଆସିଛି?
ଏହା ଉପରେ ସାବିତ୍ରୀ ଦେବୀ କହିଛନ୍ତି- ‘ହିନ୍ଦୁତ୍ୱର ସାରାଂଶ ଗୋଟିଏ ବାକ୍ୟରେ ଦିଆଯାଇପାରେ। ଏହା ସୃଷ୍ଟିର ସବୁ ଜୀବଙ୍କ ମଧ୍ୟରେ ବିଭିନ୍ନ ସ୍ତରର ଚେତନାରେ ଏକ ଦିବ୍ୟ ଶକ୍ତିର ଉପସ୍ଥିତିକୁ ହିଁ ଦେଖେ। ଜୀବ ମଧ୍ୟରେ ଏକ ଅକ୍ଷୟ ଓ ସଦାବିଦ୍ୟମାନ ଆତ୍ମାର ବିଶ୍ୱାସ ଉପରେ ଏହା ମୌଳିକ ବିଚାର କେନ୍ଦ୍ରିତ। ଏହି ଆତ୍ମା ଜନ୍ମ ପରେ ଜନ୍ମ ଲକ୍ଷ ଲକ୍ଷ ଶରୀର ଦେଇ ଗତିକରେ। ଏହା ସ୍ଥାନ ଓ କାଳ ଅନୁସାରେ ବିନା ବାଧାରେ ମଣିଷ ଓ ପ୍ରାଣୀଙ୍କ ମଧ୍ୟରେ ଜୀବନର ଧାରାକୁ ଚାଲୁରଖେ । ମଣିଷ ଓ ପ୍ରାଣୀଜଗତ ମଧ୍ୟରେ ଜୀବନ ଚକ୍ରରେ ଆତ୍ମା ଏମିତି ଘୂରି ବୁଲିବା ସମୟରେ କୌଣସିଠାରେ ବିଚ୍ଛେଦକୁ ଏହା ବିଶ୍ୱାସ କରେନାହିଁ। ଏହା ମତରେ ଏଭଳି ବିଚ୍ଛେଦ ଅପ୍ରାକୃତିକ।
ପୁନର୍ଜନ୍ମ ସିଦ୍ଧାନ୍ତକୁ ବିଶ୍ୱାସ କରୁଥିବା ଜଣେ ବ୍ୟକ୍ତି କାଦୁଅ ଉପରେ ଶୋଇଥିବା କୁକୁର ଛୁଆଟି ତାଙ୍କ ମୃତ ସମ୍ପର୍କୀୟ କି ସାଙ୍ଗ ଥିଲେ ବୋଲି କେବେ ବି ନିଶ୍ଚିତ ହୋଇପାରିବେ ନାହିଁ। ଏହା ମଧ୍ୟ କେହି କହିପାରିବେ ନାହିଁ। ଚିର ବିଦ୍ୟମାନ ଆତ୍ମା କର୍ମ ଅନୁସାରେ ଗୋଟିିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗତି କରେ ବୋଲି ଜଣେ ଯେତେବେଳେ ବିଶ୍ୱାସ କରନ୍ତି ସେ କ୍ଷେତ୍ରରେ ଏଭଳି ଅନୁଭବ ଆସିବା ସ୍ବାଭାବିକ। ଯେତେବେଳେ ଏହି ଦୃଶ୍ୟମାନ ବିଶ୍ୱରେ ଅସୀମ ବିବିଧତାରେ ରହିଥିବା ଜୀବନର ଦିବ୍ୟ ଏକତ୍ୱକୁ ଅନୁଭବ କରୁଥିବେ ଏବଂ ପୁନର୍ଜନ୍ମ ବିଶ୍ୱାସରୁ ପ୍ରାଣୀ ଓ ଉଦ୍ଭିଦକୁ ସମ୍ଭାବ୍ୟ ମନୁଷ୍ୟ ଭାବେ ବିବେଚନା କରି ସେମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରୁଥିବେ ସେତେବେଳ ଯାଏ ସେମାନଙ୍କ ମନରେ ଏଭଳି ବିଶ୍ୱାସ ରହିବ।
ସମସ୍ତଙ୍କ ମଧ୍ୟରେ ଏକ ଆତ୍ମା ବିଦ୍ୟମାନ । ଜୀବଜଗତର ବିଭିନ୍ନ ସ୍ତର ଦେଇ ଏହା ଜନ୍ମ ନେଇ ଆସିଥିବା ମୌଳିକ ବିଚାର ଉପରେ ହିନ୍ଦୁ ନୀତିଶିକ୍ଷା ଗୁରୁତ୍ୱ ଦିଏ। ଜୀବନ ପଥରେ ଗୋଟିଏ ଜିଆଠାରେ ସନ୍ନିବିଷ୍ଟ ଆତ୍ମା ଲକ୍ଷ ଲକ୍ଷ ଜନ୍ମ ପରେ ଶ୍ରେଷ୍ଠ ଚୈତନ୍ୟ ଲାଭ କରିଥିବା ଏବଂ ସମୟକ୍ରମରେ ଜଣେ ସର୍ବଜ୍ଞ ତଥା ଜୀବନମୁକ୍ତ ସାଧୁ, ଜଣେ ତୀର୍ଥଙ୍କର(ଜୈନମତରେ)ଙ୍କ ଆତ୍ମା ସହ ସମାନ। କେବଳ ଏତିକି ନୁହେଁ, ବରଂ ପ୍ରତ୍ୟେକ ଜିଆ,ଗେଣ୍ଡା,ବେଙ୍ଗ,ଗଧ କିମ୍ବା ଘୁଷୁରି, ମଣିଷ କିମ୍ବା ମାଙ୍କଡ଼ ଆଦି ପ୍ରତିଟି ଜୀବ ମଧ୍ୟରେ ଥିବା ଆତ୍ମା ସାଧୁଙ୍କ ଆତ୍ମା ସହ ସମାନ । ଜ୍ଞାନ ଦୃଷ୍ଟିରେ ବିଚାର କଲେ କେବଳ ବ୍ୟାପକତା ଓ ଶୁୁଦ୍ଧ ଚେତନାକୁ ନେଇ ଏଥିରେ ପ୍ରଭେଦ ପରିଦୃଶ୍ୟ ହୁଏ ଏବଂ ଜଣେ ସାଧୁ ଲକ୍ଷ ଲକ୍ଷ ଜନ୍ମରେ ଅଜ୍ଞାନତା ଓ ଅଶାନ୍ତି ଦେଇ ଆସିଛନ୍ତି ବୋଲି ଗ୍ରହଣ କରିବାକୁ ହେବ। ରାଜା ଭରତ ମୃଗ ରୂପରେ ଜନ୍ମ ନେଇଥିଲେ ବୋଲି କୁହାଯାଏ। ସମ୍ରାଟ ଅଶୋକ ମଧ୍ୟ ଏକ ଭୟଙ୍କର ଜୀବ ରୂପେ ଜନ୍ମ ନେଇଥିଲେ । ବୌଦ୍ଧଧର୍ମ ମତରେ ତାଙ୍କ ଜୀବନ କାଳରେ କିଛି କ୍ଷଣ ସମଭାବର ଅଭାବ ଯୋଗୁ ଏହା ଘଟିଥିଲା।’
ଏହା ମୋର ଜନ୍ମଗତ ଅନ୍ତର୍ନିହିତ ବିଶ୍ୱାସ, ଯେଉଁଥିପାଇଁ ଏହା ମୋ ଦୈନନ୍ଦିନ ଜୀବନକୁ ସଞ୍ଚାଳିତ କରେ। କିନ୍ତୁ ସାବିତ୍ରୀ ଦେବୀ ସେତିକିରେ ଅଟକି ଯାଇନାହାନ୍ତି। ସେ କହିଛନ୍ତି-‘ ପ୍ରଥମ ଦେଖାରେ ହିନ୍ଦୁଧର୍ମର ସର୍ବେଶ୍ୱରବାଦୀ ଭାବନାରେ ସନ୍ନିବିଷ୍ଟ ବୈଶ୍ୱିକ ବିବର୍ତ୍ତନ, ଶାରୀରିକ ତଥା ଆଧ୍ୟାତ୍ମିକତାର ବିଶ୍ୱ ଦୃଷ୍ଟି ମଣିଷକୁ ଜୀବମାନଙ୍କୁ ଭଲପାଇବାକୁ ଯେଭଳି ପ୍ରେରିତ କରେ ତାହା ଆଉ କେହି କରିପାରନ୍ତି ନାହିଁ। ’ କିନ୍ତୁ ଏହା ହୋଇପାରିନାହିଁ କାହିଁକି? ସମଗ୍ର ହିନ୍ଦୁ ଭାବନାରେ ବସାବାନ୍ଧିଥିବା ସସୀମ ଜୀବନର କମ୍ ମୂଲ୍ୟାୟନ ଓ ଅଧିକ ନୈରାଶ୍ୟ ଯୋଗୁ ଏଭଳି ହେଉଥିବା କୁହାଯାଇପାରେ। ହିନ୍ଦୁ, ଜୈନ ଓ ବୌଦ୍ଧ ମତରେ ଜୀବନର କିଛି ଭାଗ ଖୁସିରେ କଟୁଥିଲେ ବି ଜୀବନଟା ହିଁ ଦୁଃଖର କାରଣ। ଜନ୍ମମୃତ୍ୟୁ ଚକ୍ରରୁ ବାହାରିଯିବା ଜଣେ ସଚ୍ଚା ହିନ୍ଦୁର ଲକ୍ଷ୍ୟ। କ୍ଷଣସ୍ଥାୟୀ ସାଂସାରିକ ସୁଖର ବିଚାର, ‘ଜୀବନ ହିଁ ଏକ ବନ୍ଧନ’ର ଅନୁଭବ ଏବଂ ମୋକ୍ଷ ପାଇଁ ଆବେଗ ଆଦି ବିଶେଷତା ହିନ୍ଦୁ ବିଚାରାଧାରର ଅଭିନ୍ନ ଅଙ୍ଗ। ଏହି ସବୁ ବିଶେଷତା କର୍ମ ପାଇଁ ଅନୂକୁଳ ନୁହେଁ। ଏହି କାରଣରୁ ଭଗବତ ଗୀତାରେ ନିଃସ୍ବାର୍ଥ, ଆବେଗହୀନ ଓ ନିର୍ଲିପ୍ତ କର୍ମ ବିଷୟରେ ଯାହା କୁହାଯାଇଛି ତାହା ହିଁ ଆଦର୍ଶବାଣୀ। କିନ୍ତୁ ଆମ ଦୈନନ୍ଦିନ ଜୀବନରେ ଆମେ ଏଭଳି କର୍ମ କରୁନାହୁଁ। ତେବେ ନିଜକୁ ଭଲ ପାଇବାର ଲାଳସା, ଭୟ କିମ୍ବା ଘୃଣା ଯୋଗୁ ଆମେ ସାଧାରଣତଃ କିଛି କରି ନ ଥାଉ। ଜୀବନର କିଛି ମୂଲ୍ୟ ନାହିଁ ବୋଲି ଯେଉଁ ବିଶ୍ୱାସଟି ଆମ ହୃଦୟରେ ଗଭୀରତମ ପ୍ରଦେଶରେ ବସା ବାନ୍ଧିଛି ତାହା ଭଲ ଚିନ୍ତାଧାରାକୁ ଘୋଡାଇଦିଏ। ଏହି ପୃଥିବୀରେ ଯେଉଁ ଜୀବ ଯନ୍ତ୍ରଣା ଭୋଗୁଛନ୍ତି ତାହା ତାଙ୍କ ପୂର୍ବଜନ୍ମରେ କରିଥିବା ମନ୍ଦ କର୍ମର ଫଳ ବୋଲି ଆମେ ମନେକରୁ। ଏଭଳି ବିଶ୍ୱାସ ଯୋଗୁ ମଣିଷ କିମ୍ବା ପ୍ରାଣୀଙ୍କ ମଙ୍ଗଳ ଲାଗି ବ୍ୟକ୍ତିଗତ ସ୍ତରରେ ଅଧିକାଂଶ ଲୋକ ଭାବିବାକୁ ସକ୍ଷମ ହୋଇପାରନ୍ତିନାହିଁ। ଜଣାଯାଏ,ମାନବ ସମାଜକୁ ଅଧିକ ଆରାମଦାୟକ କରିବା ତଥା ବିଶ୍ୱକୁ ସବୁ ଜୀବଙ୍କ ପାଇଁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବା ନିମନ୍ତେ ସେମାନଙ୍କୁ ପ୍ରେରିତ କରିବାରେ ହିନ୍ଦୁତ୍ୱ କମ୍ ସମର୍ଥ । ଜଣେ ପାଶ୍ଚାତ୍ୟ ଶାକାହାରୀ ତାଙ୍କ ଆତ୍ମିକ ଚିନ୍ତାଧାରାରୁ ପ୍ରାଣୀମାନଙ୍କ ପ୍ରତି ଥିବା ଦୟା ଭାବକୁ ଅଲଗା ରଖନ୍ତି। କିନ୍ତୁ ଜଣେ ହିନ୍ଦୁ ଶାକାହାରୀ ଦୟା ଭାବକୁ ତାଙ୍କ ଆଧ୍ୟାତ୍ମିକ ଲାଭ ଲାଗି ଉପଯୋଗ କରିଥାନ୍ତି। ସେ ଭାବନ୍ତି ଯେ ମାଂସ, ମାଛ, ଅଣ୍ଡା ଏବଂ ଅନ୍ୟ ଉତ୍ତେଜକ ଖାଦ୍ୟଠାରୁ ଦୂରେଇ ରହି ଜୀବନର ଶୀର୍ଷ ସ୍ତର ମୋକ୍ଷ ପ୍ରାପ୍ତ କରିପାରିବ, ଯେଉଁଠି ଆଉ ପୁନର୍ଜନ୍ମ ନ ଥିବ। କିନ୍ତୁ ଅଧିକାଂଶ ହନ୍ଦୁଙ୍କୁ ପ୍ରାଣୀମାନଙ୍କ ଯନ୍ତ୍ରଣା ତାଙ୍କ ଶାରୀରିକ ପିବିତ୍ରତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ନ ହେବା ଜଣାପଡେ। ସେମାନେ ଶାରୀରିକ ପବିତ୍ରତାକୁ ଆଧ୍ୟାତ୍ମିକ ଉନ୍ନତି ଲାଗି ଅପରିହାର୍ଯ୍ୟ ବୋଲିି ବିଚାର କରନ୍ତି। ଏହି କାରଣରୁ ଜଣେ ଶାକାହାରୀ ହିନ୍ଦୁ ପ୍ରାଣୀମାନଙ୍କୁ ଭଲ ପାଇବା କିମ୍ବା ଭଲ ନ ପାଇବା ଲକ୍ଷ୍ୟ କରାଯାଏ। ସେମାନେ ତାଙ୍କ ସ୍ବାର୍ଥ ପାଇଁ ଖାଦ୍ୟ ଗ୍ରହଣ କରିଥାନ୍ତି। ପ୍ରାଣୀ କିମ୍ବା ମଣିଷ ଜୀବନର ମୂଲ୍ୟ କମ୍ ରହିଛି ବୋଲି ଯେଉଁ ମୌଳିକ ଚିନ୍ତାଧାରା ବସା ବାନ୍ଧିଛି ତାହା ନିଷ୍ଠୁରତା ଓ ଯନ୍ତ୍ରଣାର କାରଣ ପାଲଟିଛି।
ପ୍ରଦୂଷିତ ପରିବେଶରେ ଶୋଇଥିବା ଜଣେ ଭିକାରି ପିଲା ହେଉ କି ରାସ୍ତା କଡ଼ରେ ପଡିଥିବା ଭୋକିଲା କୁକୁର , ଅତ୍ୟଧିକ ଭାର ବହନ କରୁଥିବା କୁଲି ହୁଅନ୍ତୁ ବା ଗଧ ଅବା ଭୋକିଲା ଓ ଦୁର୍ବଳ ମଇଁଷିଟି ନିର୍ଦ୍ଦୟଭାବେ ଚାବୁକ ଖାଇ ଶଗଡ ଟାଣିବା ହେଉ; ଏ କ୍ଷେତ୍ରରେ ହିନ୍ଦୁମାନଙ୍କ ଦୟା ଭାବ ପ୍ରାୟ ସମାନ ଭାବେ ପ୍ରକଟିତ ହୋଇଥାଏ, ନିଷ୍ପକ୍ଷ ରହିଥାଏ। ପୁନର୍ଜନ୍ମ ଭଳି ଜୀବନ କୈନ୍ଦ୍ରିକ ସିଦ୍ଧାନ୍ତ ଜୀବମାନଙ୍କ ପ୍ରତି ଭିନ୍ନ ବ୍ୟବହାରିକ ସ୍ବାଭାବକୁ ସିଦ୍ଧ କରେ। ଲକ୍ଷ ଲକ୍ଷ ହିନ୍ଦୁ ଯେଉଁମାନେ କୁକୁରକୁ ଗୋଇଠା ମାରୁଥିବା କିମ୍ବା ପକ୍ଷୀ ବସା ଭାଙ୍ଗୁଥିବା ପିଲାଙ୍କୁ ବାରଣ କରନ୍ତିନି, ଯେଉଁମାନେ ଅତ୍ୟଧିତ୍କ ଭାର ଟାଣୁଥିତ୍ବା ବଳଦ,ମଇଁଷି ,ଘୋଡା ଓ ଗଧଙ୍କୁ ବାଡ଼ାନ୍ତି କିମ୍ବା ସେମାନଙ୍କ ଲାଙ୍ଗୁଡ଼କୁ ମୋଡି ଶୀଘ୍ର ଚାଲିବା ପାଇଁ ବାଧ୍ୟ କରନ୍ତି, ଯେଉର୍ଁମାନେ ଘରୁ ବିଲେଇ ଛୁଆଙ୍କୁ ନେଇ ରାସ୍ତାରେ ଛାଡି ଦେଇ ଆସନ୍ତି, ଯେଉଁମାନେ ବିଜ୍ଞାନ ନାମରେ କେବେ ବି ପ୍ରାଣୀ ନିର୍ଯାତନାକୁ ବିରୋଧ କରନ୍ତି ନାହିଁ କିମ୍ବା ନଗର ନିଗମର କଂସେଇଖାନାରେ ଅତି ନୃଶଂସ ଭାବେ ଗୋରୁ କାଟନ୍ତି, ସେମାନଙ୍କୁ ଯଦି ପଚରାଯାଏ କାହିଁକି ଏଭଳି ନିଷ୍ଠୁର କାର୍ଯ୍ୟ କରୁଛ ସେମାନେ ପୁନର୍ଜନ୍ମ ବିଶ୍ୱାସରେ ସେମାନଙ୍କ ଉତ୍ତର ବାଢ଼ନ୍ତି। ପ୍ରତ୍ୟେକ ଜୀବ ତାଙ୍କ କର୍ମର ଫଳ ନିଶ୍ଚିତ ଭୋଗନ୍ତି ବୋଲି ଉତ୍ତର ଦିଅନ୍ତି। ଏବଂ ଯେଉଁ ଜୀବମାନଙ୍କୁ କଟାଯାଉଛି ସେମାନେ ମଧ୍ୟ ତାଙ୍କ ପୂର୍ବଜନ୍ମର ଫଳ ଭୋଗୁଛନ୍ତି ବୋଲି କହିଥାନ୍ତି। ଏହା ହିନ୍ଦୁମାନଙ୍କ ବଦ୍ଧମୂଳ ବିଶ୍ୱାସର ହିଁ ଫଳ। ଲୋକମାନେ ଜୀବଙ୍କ ନିର୍ଯାତନା କିମ୍ବା ମୃତ୍ୟୁର ପ୍ରତ୍ୟକ୍ଷ କାରଣ ନ ହେବା ପାଇଁ ହିନ୍ଦୁ ଦର୍ଶନ ଚାହେଁ। ନିଜ ମନ୍ଦ କର୍ମର ତାଲିକା ନ ବଢ଼ାଇବା ଲାଗି ଅନ୍ୟର କ୍ଷତି ନ କରିବା ପାଇଁ ଚାହେଁ, ଯାହା ଏ ଜନ୍ମରେ ହେଉ କି ଆର ଜନ୍ମରେ ତାକୁ ଭୋଗିବାକୁ ପଡିବ। କିନ୍ତୁ ସକ୍ରିୟ ଭାବେ ପ୍ରାଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସେମାନଙ୍କ ନିଷ୍ଠୁର ପଥରୁ ହଟିଯିବା ଲାଗି କେବେ ଚାହିଁନାହିଁ। ମୋ ମତରେ ବଞ୍ଚ ଓ ଅନ୍ୟକୁ ବଞ୍ଚିବାକୁ ଦିଅ। ଯେଉଁଥିତ୍ ପାଇଁ ‘ପିପୁଲ ଫର୍ ଆନିମଲ’ର ଉଦ୍ଦେଶ୍ୟ ହେଉଛି ବଞ୍ଚ ଓ ଅନ୍ୟ ଜୀବଙ୍କୁ ବଞ୍ଚିବାକୁ ଦିଅ। ଆମ ହିନ୍ଦୁମାନଙ୍କ ପାଇଁ ଏହି ଗୌରବଶାଳୀ ଧର୍ମ ବା ଦର୍ଶନ ଏହା କରିପାରିଛି କି?
Email: gandhim@nic.in