ପୁନେରେ ଫସିଛନ୍ତି ସ୍କିଲ ଓଡ଼ିଶା ଛାତ୍ର

ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ସଦର ବ୍ଲକ, ବସ୍ତା ଓ ଜଳେଶ୍ୱର ବ୍ଲକର ୧୩ଜଣ ଛାତ୍ର ସରକାରୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍କିଲ ଓଡ଼ିଶା)ରେ କୃତକାର୍ଯ୍ୟ ହୋଇ ଗତ ୫ତାରିଖରେ ପୁନେର ଏକ ଅଟୋମୋବାଇଲ୍‌ କମ୍ପାନୀରେ ଯୋଗଦେଇଥିଲେ। କିଛିଦିନ ପରେ ଲକ୍‌ଡାଉନ୍‌ ହେବା ପରେ କମ୍ପାନୀ ବନ୍ଦ ହୋଇଥିଲା। ଫଳରେ ସେମାନେ ସେଠାରେ ଫସି ରହି ସହାୟତା ପାଇଁ ଭିଡ଼ିଓ ଜରିଆରେ ନିବେଦନ କରିଛନ୍ତି।
ସାରା ଭାରତ ଲକ୍‌ଡାଉନ୍‌ ହେବା ପରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଜିଲାର ୧୩ଜଣ ଛାତ୍ର ଗତ ମାର୍ଚ୍ଚ ୩ ତାରିଖରେ ସରକାରଙ୍କ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ସଫଳତା ହାସଲ କରି ମହାରାଷ୍ଟ୍ରର ପୁନେ ଜିଲା ଚାତନ ଅଞ୍ଚଳର ଏଡ଼ିଆଇଭିକେ, ଏପିଟିଆଇଭି ଏବଂ ସାନ୍‌ସିରା ଅଟୋମୋବାଇଲ୍‌ କମ୍ପାନୀରେ ୩ ମାସିଆ ଟ୍ରେନିଂ ନିମନ୍ତେ କ୍ୟାମ୍ପସ୍‌ରେ ମାସିକ ୧୩ହଜାର ୫ଶହ ଟଙ୍କା ଦେୟରେ ନିଯୁକ୍ତି ପାଇଥିଲେ। ଏଥିପାଇଁ ଶେରଗଡ଼ସ୍ଥିତ ଦି ଗର୍ଗ ଟେଲିଗ୍ରାଫ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଟିଟିଆଇ)ରେ ଟ୍ରେନିଂ ନେଇଥିଲେ। ଏଥିସହିତ ମାଗଣା ଘରଭଡ଼ା ସୁବିଧା ରହିଥିଲା। କିନ୍ତୁ ପୁନେରେ ପହଞ୍ଚତ୍ବା ପରେ ମାତ୍ର ୧୫ଦିନ କାମ କରିବା ପରେ ଲକ୍‌ଡାଉନ୍‌ ଘୋଷଣା କରାଗଲା। ଫଳରେ କମ୍ପାନୀ ବନ୍ଦ ହୋଇଯିବା ସହ ସେମାନଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଛି। ମାଲିକ ଘରଭଡ଼ା ମାଗିବା ସହ ପାଖରେ ଅର୍ଥ ନ ଥିବାରୁ ରହିବା ଓ ଖାଇବା ପାଇଁ ବହୁ ସମସ୍ୟା ଉପୁଜିଛି। ଏନେଇ ଜିଟିଟିଆଇ ପ୍ରିନ୍ସପାଲଙ୍କୁ ଫୋନ୍‌ କରି ସମସ୍ତ ଘଟଣା ଜଣାଇବା ପରେ ମଧ୍ୟ ଛାତ୍ରମାନଙ୍କ କଥା କୌଣସି ବୁଝୁ ନ ଥିବାର ଛାତ୍ରମାନେ ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ କରିବା ସହ ଛାତ୍ର ବିଜୁ ପ୍ରଧାନ, ଅନ୍ତର୍ଯ୍ୟାମୀ ମହାଳିକ ପ୍ରମୁଖ ଫୋନ୍‌ ଯୋଗେ ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କୁ ଜଣାଇଛନ୍ତି। ଏ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀ ମହାନ୍ତି କହନ୍ତି, ଖବର ପାଇ ସେମାନଙ୍କ ସମସ୍ତ ବ୍ୟବସ୍ଥା କରାଯିବା ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।