ପୁରୀରୁ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଗିରଫ

ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର ପୋଲିସ ଗିରଫ କରିଛି। ଗିରଫ ନକଲି ପରୀକ୍ଷାର୍ଥୀ ହେଉଛନ୍ତି ସୌମ୍ୟ ରଞ୍ଜନ ମହାନ୍ତି। ସେ ପଥରପଦା ହାଇସ୍କୁଲର ଜନୈକ ଛାତ୍ରଙ୍କ ଆଡ୍‌ମିଟ କାର୍ଡ ନେଇ ତାଙ୍କ ନାଁରେ ପରୀକ୍ଷା ଦେଉଥିଲେ। ସେଣ୍ଟର ଶିକ୍ଷକଙ୍କର ସନ୍ଦେହ ହେବାରୁ ପଚରାଉଚରା କରିଥିଲେ। ପରେ ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ମଧ୍ୟ ନକଲି ପରୀକ୍ଷାର୍ଥୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ତାଙ୍କ କଥାରୁ ସନ୍ଦେହ ଜାତ ହୋଇଥିଲା । ପରେ ସେ ନକଲି ବୋଲି ଜଣାପଡିବା ପରେ ସୌମ୍ୟ ରଞ୍ଜନଙ୍କୁ ପୋଲିସ ଜିମା ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏହି ଘଟଣାକୁ ନେଇ କନକ ଦୁର୍ଗା ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ରଥ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share