ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ଏଟିଏମ୍‌ ପିନ୍‌ ଓ ଆକାଉଣ୍ଟ ନମ୍ବର ନେଇ ଟଙ୍କା ଗାଏବ କରୁଥିବା ଆଜି ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ସୁପ୍ରଭାତ ମହାପାତ୍ର ଓ ତାଙ୍କ ଘର ପୁରୀ ଜିଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ହିରଣ୍ୟଦା ଗ୍ରାମରେ ବୋଲି ଜଣାପଡ଼ିଛି। ମାଲକାନଗିରି ସ୍ବତନ୍ତ୍ର ସାଇବର ସେଲ୍‌ର ଇନ୍ସପେକ୍ଟର ସୌମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଦଳ ତଦନ୍ତ କରି ଏହି ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣଙ୍କ ମାଲକାନଗିରି ଜିଲାର କାଲିମେଳା ଥାନା ଅନ୍ତର୍ଗତ ଅକ୍ଷୟ ପଣ୍ଡାଙ୍କୁ ଫୋନ୍‌ କରି ୨ ଲକ୍ଷ ଟଙ୍କା ଦିଆଯିବ ବୋଲି କହି ଆକାଉଣ୍ଟ ନମ୍ବର ଓ ପିନ୍‌ ମାଗି ତାଙ୍କ ଆକାଉଣ୍ଟରେ ଥିବା ୪୦ ହଜାର ଟଙ୍କା ଲୁଟ୍‌ କରିଥିବା ବେଳେ ଓରକେଲ ଥାନା ଅଧୀନରେ ମଧ୍ୟ ଜଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇ ଯାଇଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଅଭିଯୁକ୍ତଙ୍କ ନାମରେ ଯାଜପୁର ଜିଲାର ବଡ଼ଚଣା ଥାନା, କଟକର ଚାଉଳିଆଗଞ୍ଜ, ଗଜପତି ଜିଲାର ପାରଳାଖେମୁଣ୍ଡି ଓ ପୁରୀ ଜିଲାର ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ସେ ଜଣେ ଆନ୍ତଃରାଜ୍ୟ ଅପରାଧୀ ହୋଇଥିବାବେଳେ ଝାଡ଼ଖଣ୍ଡ ରାଜ୍ୟର ଅପରାଧୀଙ୍କ ସହ ତାଙ୍କ ଯୋଗାଯୋଗ ଥିବା ଜଣାପଡ଼ିଛି। ମାଲକାନଗିରି ପୋଲିସ ତାଙ୍କ ଆକାଉଣ୍ଟକୁ ସିଜ୍‌ କରିଥିବାବେଳେ ୨ ଲକ୍ଷ ୬ ହଜାର ୧୯୪ ଟଙ୍କା ଜବତ କରିଥିବା ଏସ୍‌ପି ମୀନା ସୂଚନା ଦେଇଛନ୍ତି।

Share