ପୁରୀରେ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ପୁରୀ ଅଫିସ,୨୬।୧: ଜିଲା ପ୍ରଶାସନ ଆନୁକୂଲ୍ୟରେ ତାଲବଣିଆସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ନିିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ ସହ ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଚଳିତ ବର୍ଷ ୬୨ଟି କଣ୍ଟିଜେନ୍ସି ଭାଗ ନେଇଥିଲେ। ସିନିୟର ଏନ୍‌ସିସିରେ ସୁରଜ ମଲ୍ଲ ସାହା କଲେଜ, ଜୁନିୟର ବାଳକ ବିଭାଗରେ ପୋଲିସ ଲାଇନ୍‌ ସ୍କୁଲ ଓ ବାଳିକା ବିଭାଗରେ କନ୍‌ଭେଣ୍ଟ ସ୍କୁଲ ପୁରସ୍କୃତ ହୋଇଥିଲେ। ଜିଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍‌ପି ପି.କେ.ସ୍ବାଇଁଙ୍କ ସମେତ ଜିଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ରଶେଖର ମିଶ୍ର ପରେଡ୍‌ ପରିଚାଳନା କରିଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୁରୁବୀର ସିଂ, ଏଡ୍‌ପିଆରଓ ଜିତେନ୍ଦ୍ରିୟ ଜେନା, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଆଇନ ମନ୍ତ୍ରୀ ଜେନା ଉତ୍କଳ ବାଳାଶ୍ରମରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ପୁରସ୍କାର ବିତରଣ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ କଲେଜରେ ଏକ ରକ୍ତଦାନ ଶିବିରର ଉଦ୍‌ଘାଟନ କରିଥିଲେ।