ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ ଅଫିସ, ୮ା୬: ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରଶାସନିକ ପ୍ରସ୍ତୁତି। ରଥଖଳାରେ ତିନିରଥ ନିର୍ମାଣ କାମ ଆଗେଇ ଚାଲିଥିବାବେଳେ ଦୁଇଟି ରଥଯାତ୍ରା ସମନ୍ବୟ କମିଟି ବୈଠକ ସରିଲାଣି। ଆସନ୍ତା ୧୩ ତାରିଖରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ତୃତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହେବ। ତେବେ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ଘୋଷଯାତ୍ରା ପାଇଁ ଦରକାର ହେଉଥିବା ରଥ ଦଉଡ଼ି ପୁରୀରେ ପହଞ୍ଚତ୍ଛି। ତିନିରଥ ପାଇଁ ଆବଶ୍ୟକ ୧୨ଟି ଟଣା ଦଉଡ଼ି ସହିତ ୩ଟି କର୍ଡନ (ଘେର) ଦଉଡ଼ି ମଧ୍ୟ ଆସିଛି। ଚନ୍ଦନପୁର ନିକଟସ୍ଥ ବୀରପ୍ରତାପପୁରଠାରେ ଥିବା ଓଡ଼ିଶା କତା ନିଗମର କାର୍ଯ୍ୟାଳୟରୁ ଏହି ଦଉଡ଼ି ଏକ ଗାଡିରେ ଆସି ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲା। ଶ୍ରୀମନ୍ଦିରର ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ଦାୟିତ୍ୱରେ ଏହି ଦଉଡ଼ି କାର୍ଯ୍ୟାଳୟରେ ରଖାଯାଇଛି।
ତତ୍ତ୍ବାବଧାରକ ମେକାପ କହିଛନ୍ତି ଯେ, ଚଳିତବର୍ଷ ରଥଯାତ୍ରା ଲାଗି ଓଡ଼ିଶା କତା ନିଗମକୁ ୧୨ଟି ଟଣା ଦଉଡ଼ି ଏବଂ ୩ଟି ଘେର ଦଉଡ଼ି ଯୋଗାଇଦେବା ଲାଗି ଅର୍ଡର ଦିଆଯାଇଥିଲା। ସେମାନେ ଦଉଡି ଯୋଗାଇ ଦେଇଛନ୍ତି। ଗୋଟିଏ ଟଣା ଦଉଡ଼ିର ଲମ୍ବ ୨୨୦ ଫୁଟ ଏବଂ ମୋଟେଇ ୮ ଇଞ୍ଚ ରହିଥିବା ବେଳେ ଘେର ଦଉଡ଼ି ଗୋଟିଏର ଲମ୍ବ ୪୫୦ ଫୁଟ ଏବଂ ମୋଟେଇ ୩ ଇଞ୍ଚ ରହିଛି। ତେବେ ଚଳିତବର୍ଷ ରଥଯାତ୍ରା ପାଇଁ ଟଣା ଦଉଡ଼ି ଏବଂ ଘେର ଦଉଡ଼ି ଷ୍ଟକ୍‌ ରହିଛି ବୋଲି ମେକାପ କହିଛନ୍ତି।

Share