Advertisement
Categories: Home Leftପୁରୀ

ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ

ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା ନଜରକୁ ଆସିଛି। ବ୍ରିଟିଶମାନଙ୍କ ସଙ୍କେତ ସ୍ବରୂପ ଏହି କୀର୍ତ୍ତିରାଜି ଆଜି ବି ଅକ୍ଷୁଣ୍ଣ ରହିଛି। ବ୍ରିଟିଶ ଅମଳର ଏହି ହାତ ତିଆରି ଇଞ୍ଜିନକୁ ନେଇ ଲୋକଙ୍କ ମଧ୍ୟରେ କୌତୂହଳ ଜାତ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବୁଦ୍ଧିଜୀବୀ, ଗବେଷକମାନେ ଏହାକୁ ବୁଲି ଦେଖୁଥିବା ନଜରକୁ ଆସିଛି। ଦୀର୍ଘଦିନ ଧରି ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିଲେ ସୁଦ୍ଧା ଲୁହାରେ କଳଙ୍କି ଲାଗିନାହିଁ।
ସୂଚନା ଅନୁଯାୟୀ, ବ୍ରିଟିଶ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଗଭର୍ନରମାନେ ପୁରୀ ବୁଲି ଆସିବା ବେଳେ ରାଜଭବନରେ ବିଶ୍ରାମ କରୁଥିଲେ। ଗଭର୍ନରଙ୍କୁ ବିଦ୍ୟୁତ ଯୋଗାଇବା ଉଦ୍ଦେଶ୍ୟରେ ବିଟ୍ରିଶ ସରକାର ଏହି ହାତଚାଳିତ ଇଞ୍ଜିନ ବ୍ୟବସ୍ଥା ଆରମ୍ଭ କରିଥିଲେ। ବ୍ରିଟିଶ ରାଜତ୍ୱର ଅନ୍ତ ଘଟିଥିଲେ ମଧ୍ୟ ଏଠାରେ ଏହି ପୁରାତନ କୀର୍ତ୍ତିରାଜି ଶୋଭାବର୍ଦ୍ଧନ କରୁଛି। ଏହାକୁ ଐତିହ୍ୟର ମାନ୍ୟତା ଦେବା ଲାଗି ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଗବେଷକମାନେ ଦାବି କରିଛନ୍ତି। ସର୍ବୋଦୟ ନେତା ତଥା ଆଇନଜୀବୀ ଶିବପ୍ରସାଦ ମିଶ୍ର କହିଛନ୍ତି, ଏହା ପୁରୀ ପାଇଁ ଗୌରବ। ଏହାକୁ ନେତାଜୀ ସଂଗ୍ରହାଳୟରେ ସ୍ଥାନ ଦିଆଯାଉ। ଯଦ୍ଦ୍ବାରା ସଂଗ୍ରହାଳୟକୁ ଆସୁଥିବା ପର୍ଯ୍ୟଟକ, ଗବେଷକ, ଯୁବପିଢି, ଛାତ୍ରୀଛାତ୍ରମାନେ ଏ ସମ୍ପର୍କରେ ଅବଗତ ହୋଇପାରିବେ। ସେହିପରି ସାମାଜିକ କର୍ମୀ ପ୍ରସନ୍ନ କୁମାର ଦାଶ କହିଛନ୍ତି, ବିଟ୍ରିଶ ରାଜତ୍ୱ ସମୟରେ ନିର୍ମାଣ ହୋଇଥିବା ଏହି ହାତଚାଳିତ ଲୌହ ଇଞ୍ଜିନକୁ ସୁରକ୍ଷିତ ଭାବେ ରଖାଯିବା ଉଚିତ। ଆଗାମୀ ପୀଢି ଲାଗି ଏହା ବହୁ ଉପାଦେୟ ହେବ। ଯୁବପିଢି ଏହାର ଐତିହ୍ୟ ସମ୍ପର୍କରେ ଜାଣିବାକୁ ପାଇବେ। ତେବେ ଏହା କାହା ଅଧୀନରେ ରହିଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଜିଇଡି ସଂସ୍ଥା ଅଧୀନରେ ରହିଥିବା କୁହାଯାଉଛି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଏହାକୁ ଯତ୍ନର ସହ ସାଇତି ରଖିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel