ପୁରୀରେ ସିଏଏ ସମର୍ଥନରେ ଶୋଭାଯାତ୍ରା

ପୁରୀ ଅଫିସ,୩୦ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। କେଉଁଠି ଆନ୍ଦୋଳନ ହିଂସା ରୂପ ନେଇ ପୋଡାଜଳା ହେଉଛି ତ ପୁଣି କେଉଁଠି ଭଙ୍ଗାରୁଜା ଏବଂ ପୋଲିସ ଲାଠିମାଡ଼ କରୁଛି । ସେହିପରି ସିଏଏ ସମର୍ଥନରେ ବି ବିଭିନ୍ନ ସ୍ଥାନରେ ସଭା, ଶୋଭାଯାତ୍ରା କରାଯାଉଛି । ଗୁରୁବାର ସିଏଏକୁ ସମର୍ଥନ କରି ପୁରୀରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାଜପା ପକ୍ଷରୁ ଗୁଣ୍ଡିଚା ମନ୍ଦିରଠାରୁ ବାହାରିଥିବା ଏହି ଶୋଭାଯାତ୍ରା ସୁଭାଷ ବୋଷ ଛକ ପର୍ଯ୍ୟନ୍ତ ଯାଇଥିଲା। ଦଳୀୟ ନେତୃବୃନ୍ଦମାନେ ସିଏଏ ଏବଂ ଏନ୍‌ଆରସିକୁ ସମର୍ଥନ କରି ଭାଷଣ ଦେଇଥିଲେ । ସେମାନେ କହିଥିଲେ, ବିଶ୍ୱର ଯେକୌଣସି ଦେଶରେ ହିନ୍ଦୁମାନେ ଅତ୍ୟାଚାରିତ ହୋଇ ଭାରତକୁ ଫେରିଲେ ସେମାନଙ୍କୁ ନାଗରିକତ୍ୱ ଅଧିକାର ଦେବା ଉଚିତ। ଯେଉଁମାନେ ସିଏଏକୁ ବିରୋଧ କରୁଛନ୍ତି, ସେମାନଙ୍କ ଲକ୍ଷ୍ୟ ଭିନ୍ନ ରହିଛି। ତେଣୁ ଏହାକୁ ସମସ୍ତେ ସ୍ବାଗତ କରିବା ଦରକାର। ଏହାଦ୍ୱାରା କାହାର ନାଗରିକତ୍ୱ ଛଡାଇ ନିଆଯିବ ନାହିଁି ବରଂ ନାଗରିକତ୍ୱ ପ୍ରଦାନ କରାଯିବ। ଏଥିରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ୍‌ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ନେତୃବୃନ୍ଦ ସାମିଲ ଥିଲେ।

Share