ପୁରୀରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର

ପୁରୀ ଅଫିସ,୧୭ା୨: ପୁରୀ ଜିଲାର ୨ ସ୍ଥାନରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୃଥକ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକ ଶନିବାର ମଧ୍ୟାହ୍ନରେ ୪ବର୍ଷୀୟ ଶିଶୁକନ୍ୟାଙ୍କୁ କାର୍ଟୁନ ଭିଡିଓ ଦେଖାଇବାକୁ କହିି ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ କୋଠାକୁ ଡାକିଥିଲେ। ଭିଡିଓ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିଲେ। ଅନ୍ୟପଟେ ଝିଅକୁ ନ ପାଇ ମା’ ଖୋଜାଖୋଜି କରିଥିଲେ। କୋଠଘର ନିକଟରେ ଝିଅକୁ କାନ୍ଦୁଥିବା ଦେଖି ତାଙ୍କୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ସମ୍ପର୍କୀୟ ସେଠାକୁ ଆସି ଘଟଣା ସମ୍ପର୍କରେ କାହାକୁ କହିଲେ ଅଥବା ଥାନାକୁ ଗଲେ ଘରେ ନିଆଁ ଲଗାଇ ପରିବାର ଲୋକଙ୍କୁ ଜିଅନ୍ତା ପୋଡ଼ି ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଶିଶୁକନ୍ୟାଙ୍କ ପରିବାର ଲୋକେ ରବିବାର ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବାମଦେବନନ୍ଦ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ।
ସେହିପରି କୁମ୍ଭାରପଡ଼ା ଥାନା ଅଧୀନ ଏକ ମନ୍ଦିର ନିକଟରେ ଆଉ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ମନ୍ଦିର ନିକଟରେ ଶିଶୁକନ୍ୟା ଏକାକୀ ବୁଲୁଥିଲେ। ଜଣେ ଯୁବକ ତାଙ୍କୁ ଚକୋଲେଟ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସକୁ ଜଣାଇଥିଲେ। ପିସିଆର କର୍ମଚାରୀ ପହଞ୍ଚତ୍ ଯୁବକଙ୍କୁ କାବୁ କରିଥିଲା। ଏ ନେଇ କୁମ୍ଭାରପଡ଼ା ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା(୫୨/୨୦) ରୁଜୁ ହୋଇ ତଦନ୍ତ କରାଯାଉଛି। ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।

Share