ପୁରୀର ରାଘବ ଦାସ ମଠ ଉଚ୍ଛେଦ ମାମଲା: ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୭ା୯: ପୁରୀ ଶ୍ରୀମନ୍ଦିରର ୭୫ମିଟର ଭିତରେ ଥିବା ମଠ ଏବଂ ଅନ୍ୟାନ୍ୟ ନିର୍ମାଣ ଗୃହଗୁଡିକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି। ତେବେ ୭୫ମିଟର ବାହାରେ ଥିବା ରାଘବ ଦାସ ମଠର ଉଚ୍ଛେଦ ଆଶଙ୍କା କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ଓ ବିଚାରପତି ପ୍ରମଥ କୁମାର ପଟ୍ଟନାୟକଙ୍କ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲା ଶେଷ ହୋଇଛି। ଜିଲା ପ୍ରଶାସନ ମଠଗୁଡିକ ଉଚ୍ଛେଦ ପୂର୍ବରୁ କୌଣସି ନୋଟିସ ଦେଉ ନ ଥିବାରୁ ରାଘବ ଦାସ ମଠ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଇପାରେ ବୋଲି ଏହି ମଠର ଏକ୍‌ଜିକ୍ୟୁଟିଭ୍‌ ଅଫିସର ଅନାମ ଚରଣ ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ରାଜ୍ୟ ସରକାର ରାଘବ ଦାସ ମଠ ଭାଙ୍ଗିବାର କୌଣସି ଯୋଜନା ନାହିଁ ବୋଲି ଅଦାଲତଙ୍କୁ ଅବଗତ କରାଇବା ପରେ ମାନ୍ୟବର ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ମଠ, ମନ୍ଦିର ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି। କିଛିଦିନ ତଳେ ରାଘବ ଦାସ ମଠ ସମେତ ଆହୁରି ୮ଟି ମଠ ଭଙ୍ଗାଯିବ ବୋଲି ଚର୍ଚ୍ଚା ହୋଇଥିଲା। ଉଚ୍ଛେଦ ଆଶଙ୍କା କରି ରାଘବ ଦାସ ମଠର ଏକ୍‌ଜିକୁଟିଭ୍‌ ଅଫିସର ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ରାଘବ ଦାସ ମଠ ୭୫ମିଟର ବାହାରେ ରହିଛି। କିନ୍ତୁ ମଠକୁ ଅସୁରକ୍ଷିତ ଦର୍ଶାଇ ଭାଙ୍ଗିଦେବାକୁ ପ୍ରଶାସନ ଚକ୍ରାନ୍ତ କରିଥାଇ ପାରେ। ପୂର୍ବରୁ ରାଘବ ଦାସ ମଠକୁ ପ୍ରଶାସନ ଅସୁରକ୍ଷିତ ଦର୍ଶାଇ ଭାଙ୍ଗି ଦେବାକୁ ନିଷ୍ପତ୍ତି ନେଇଥିଲା ବେଳେ ମଠ ପକ୍ଷରୁ ଜିଲା ଦୌରାଜଜ୍‌ଙ୍କ ନିକଟରେ ନିବେଦନ କରାଯାଇଥିଲା। ଜିଲା ଦୌରାଜଜ ମାମଲାର ବିଚାର କରି ଏକ କମିଟି ଗଠନ କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ କମିଟି ଯେଉଁ ନିଷ୍ପତ୍ତି ନେଇଥିଲା ତାହା ଆଜିଯାଏ କାର୍ଯ୍ୟକାରୀ କରାଯାଉ ନ ଥିବା ମଠ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜନ ରାୟ ମାମଲା ପରିଚାଳନା କରିଥିଲେ।

Share