Categories: ବାଣିଜ୍ୟ

ପୁରୀ-ଅନୁଗୋଳ ମଧ୍ୟରେ ଦୀର୍ଘତମ ମେମୁ ସେବା

ଭୁବନେଶ୍ୱର,୯-୨ : ଅନୁଗୋଳ ଏବଂ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ଅନୁଗୋଳ-ପୁରୀ ମେମୁ ଟ୍ରେନରେ ଅତିରିକ୍ତ ୪ ବଗି ସଂଯୋଗ କରାଇବାକୁ ସ୍ଥିର କରାଯାଇଛି। ଯାତ୍ରୀଙ୍କ ଚାହିଦାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୁରୀଠାରୁ ଚଳିତ ମାସ ୧୧ ଏବଂ ଅନୁଗୋଳଠାରୁ ୧୨ ତାରିଖରେ ଗଡିବ। ଏହାର ପୂର୍ବଗଠନ ୧୨ କୋଚ୍‌ ବଦଳରେ ୧୬ଟି କୋଚ୍‌ରେ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଓଡ଼ିଶାର ଦୀର୍ଘତମ ମେମୁ ବୋଲି ଜଣାପଡିଛି। ସେହିଭଳି ଚଳିତ ମାସ ୧୨ ତାରିଖଠାରୁ ଭୁବନେଶ୍ୱର ଏବଂ କେନ୍ଦୁଝରଗଡ ମଧ୍ୟରେ କେନ୍ଦୁଝରଗଡ-ଭୁବନେଶ୍ୱର-କେନ୍ଦୁଝରଗଡ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମାର୍ଗରେ ମେମୁ ଟ୍ରେନ ଚଳାଚଳ କରିବା ପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନକୁ ଅପସାରିତ କରାଯିବ। ଏହି ମେମୁ ଟ୍ରେନ କେନ୍ଦୁଝରଗଡ-ଭୁବନେଶ୍ୱର-କେନ୍ଦୁଝରଗଡ ମେମୁ ଭାବେ ଭୁବନେଶ୍ୱରଠାରୁ ଚଳିତ ମାସ ୧୨ ଏବଂ କେନ୍ଦୁଝରଗଡରୁ ୧୩ ତାରିଖରୁ ଚଳାଚଳ କରିବ। ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେଶନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share