ପୁରୀ ଗଣବଳାତ୍କାର ଘଟଣା:ହାଇକୋର୍ଟରେ ଅଭିଯୁକ୍ତ

କଟକ ଅଫିସ,୧୩।୧୨:ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ରାଜେଶ କୁମାର ସେଠୀ ଗୁରୁବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗଣବଳାତ୍କାରକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହୀନ ଓ କପୋଳକଳ୍ପିତ। କେବଳ କେତେଜଣଙ୍କୁ ଫସାଇବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର। ତେଣୁ ଏହାର ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା ନ୍ୟାୟିକ ତଦନ୍ତ ପାଇଁ ଆବେଦନକାରୀ ସେଠୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଆବେଦନକାରୀ ପିଟିଶନରେ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଗୃହ ବିଭାଗ ସଚିବ, ପୁରୀ ଏସ୍‌ପି, କ୍ରାଇମବ୍ରାଞ୍ଚ ଏସ୍‌ପି, ସିବିଆଇ ଏସ୍‌ପି ଓ କୁମ୍ଭାରପଡା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପିଟିଶନକୁ କୋର୍ଟ ଗ୍ରହଣ କରି ଆସନ୍ତା ୧୯ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ସୂଚନାଥାଉ କି, ଗତ ୨ ତାରିଖରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ନେଇ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୋଲିସ ରାଜେଶଙ୍କ ସମେତ ମୋଟ୍‌ ୬ ଜଣଙ୍କୁ ଗିରଫ କରିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ଆଡଭୋକେଟ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା। ଏପରି କି ପୋଲିସ ଉକ୍ତ ଘଟଣାକୁ ଅଧିକ ରଙ୍ଗିନ କରୁଛି। ପ୍ରକୃତ ଘଟଣା ଲୋକଲୋଚନକୁ ନ ଆସିବା ପାଇଁ ପୋଲିସ ଉଦ୍ୟମ କରୁଥିବା ତ୍ରିପାଠୀ କହିଛନ୍ତି।

Share