ପୁରୀ ଗଣବଳାତ୍କାର ଘଟଣା: ହାଇକୋର୍ଟରେ ମିସ୍‌ କେସ୍‌ ଦାଏର

କଟକ ଅଫିସ,୧୯ା୧୨- ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣାରେ ଗୁରୁବାର ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାଏର କରାଯାଇଛି। ଉକ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ରାଜେଶ କୁମାର ସେଠୀଙ୍କ ପକ୍ଷରୁ ଏହି କେସ୍‌ ଦାଏର କରାଯାଇଛି। ପିଟିଶନରେ ଆବେଦନକାରୀ ଦର୍ଶାଇଛନ୍ତି, ହାଇଦ୍ରାବାଦ ଭଳି ପୁରୀ ପୋଲିସ ତାଙ୍କୁ ଏନ୍‌କାଉଣ୍ଟର କରିବା ପାଇଁ ମସୁଧା କରୁଛି। ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ସମ୍ବିଧାନର ଧାରା ୧୪, ୧୯ ଓ ୨୧ ଅନୁଯାୟୀ ତାଙ୍କର ମାନବାଧିକାର ଓ ସମାନତା ଅଧିକାର ଏବେ ବିପଦରେ ରହିଛି। ଉକ୍ତ ଆବେଦନକୁ ଗ୍ରହଣ କରି ଆସନ୍ତା ଜାନୁୟାରୀ ୧୪ ତାରିଖ ସୁଦ୍ଧା ଗଣବଳାତ୍କାର ମାମଲାର ସବିଶେଷ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବା ପାଇଁ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତି ପୁରୀ ଏସ୍‌ପିଙ୍କୁ ଆଦେଶ ଦେଇଛନ୍ତି।
ପୂର୍ବରୁ ଆବେଦନକାରୀ ସେଠୀ ଉକ୍ତ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗଣବଳାତ୍କାରକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ଭିତ୍ତିହୀନ ଓ କପୋଳକଳ୍ପିତ, କେବଳ କେତେଜଣଙ୍କୁ ଫସାଇବା ପାଇଁ ଏହା ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ। ତେଣୁ ଏହାର ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା ନ୍ୟାୟିକ ତଦନ୍ତ ପାଇଁ ଆବେଦନକାରୀ ସେଠୀ ପିଟିଶନରେ କୋର୍ଟଙ୍କୁ ନିବେଦନ କରିଥିଲେ। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଆବେଦନକାରୀ ପିଟିଶନରେ ନିବେଦନ କରିଛନ୍ତି। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଗୃହ ବିଭାଗ ସଚିବ, ପୁରୀ ଏସ୍‌ପି, କ୍ରାଇମବ୍ରାଞ୍ଚ ଏସ୍‌ପି, ସିବିଆଇ ଏସ୍‌ପି ଓ କୁମ୍ଭାରପଡା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପିଟିଶନକୁ କୋର୍ଟ ଗ୍ରହଣ କରିବା ସହ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୯ ତାରିଖକୁ ଦିନଧାର୍ଯ୍ୟ କରିଥିଲେ। ସୂଚନାଥାଉ କି, ଗତ ୨ ତାରିଖରେ ପୁରୀର ଏକ ପୋଲିସ କ୍ୱାର୍ଟର୍ସରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାରକରି ପୋଲିସ ରାଜେଶଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

Share