ପୁରୀ ଗଣବଳାତ୍କାର ମାମଲା: ଆଉ ୩ ଅଭିଯୁକ୍ତ ଗିରଫ

ପୁରୀ ଅଫିସ,୯।୧୨: ପୋଲିସ କ୍ବାର୍ଟର୍ସରେ ନାବାଳିକା ଗଣବଳାତ୍କାର ମାମଲାରେ ସୋମବାର କୁମ୍ଭାରପଡ଼ା ପୋଲିସ ଦମ୍ପତି ସମେତ ୩ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ଭୁବନେଶ୍ବର ବାଘମରାର ରଞ୍ଜିତ ପରିଡ଼ା, ସ୍ତ୍ରୀ ଶୌର୍ଯ୍ୟ ଶେଫାଳି ଏବଂ ବୁଲୁ ବାରିକ। ପୂର୍ବରୁ ପୋଲିସ ୩ଜଣଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି । ସୋମବାର ଗିରଫ ପରେ ସଂଖ୍ୟା ୬ ରେ ପହଞ୍ଚିଛି। ବୁଲୁ ନିଜକୁ ଜଣେ ସିଆର୍‌ପିଏଫ୍‌ ଯବାନ ଏବଂ ରଞ୍ଜିତ ନିଜକୁ ଜଣେ ସାମ୍ବାଦିକ ପରିଚୟ ଦେଇଥିବା ଏସ୍‌ପି ଉମାଶଙ୍କର ଦାଶ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି । ରଞ୍ଜିତଙ୍କ ନାମରେ ଭୁବନେଶ୍ବର ମହିଳା ଥାନାରେ ଯୁବତୀ ଚାଲାଣ ଅଭିଯୋଗରେ ୯୪/୧୮ରେ ଏକ ମାମଲା ରୁଜୁ ହୋଇଛି। ଗିରଫ (ବହିଷ୍କୃତ କନ୍‌ଷ୍ଟେବଳ) ଅଭିଯୁକ୍ତ ଜିତେନ୍ଦ୍ର ଓ ରାଜେଶ ସେଠୀଙ୍କୁ ଖୁବ୍‌ଶୀଘ୍ର ରିମାଣ୍ଡରେ ଅଣାଯିବ। ପିପିଲି ଟୋଲ୍‌ ଗେଟ୍‌ ସିସିଟିଭି ଫୁଟେଜ ଏବଂ ମୋବାଇଲ ଟ୍ରାକରୁ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ିଥିଲା । ୨୦ ଦିନ ମଧ୍ୟରେ ଚାର୍ଜଶିଟ୍‌ କରାଯିବ। ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବ ବୋଲି ଏସ୍‌ପିଙ୍କ ଠାରୁ ପ୍ରକାଶ ।