ପୁରୀ ଗଣବଳାତ୍କାର ମାମଲା: ଡିଆଇଜିଙ୍କ ସୂଚନା, ୨୦ଦିନ ମଧ୍ୟରେ ମାମଲାର ଚାର୍ଜଶିଟ୍‌ ଦାଖଲ କରାଯିବ

ପୁରୀ ଅଫିସ୍‌,୩।୧୨: ପୁରୀରେ ନାବାଳିକା ଗଣବଳାତ୍କାର ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରିଛି। ୨୦ଦିନ ଭିତରେ ଏହି ମାମଲାର ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍‌ ସିଂ ସୂଚନା ଦେଇଛନ୍ତି। ଏକ ପ୍ରେସ୍‌ମିଟରେ ସେ କହିଛନ୍ତି, ଏଭଳି ଘଟଣା ନିନ୍ଦନୀୟ। ଏହାକୁ ସ୍ବତନ୍ତ୍ର ମାମଲା ଭାବେ ନିଆଯାଇଛି। ଏହାର ତଦନ୍ତ ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି। ଫାଷ୍ଟଟ୍ରାକ୍‌ରେ ବିଚାର କରିବାକୁ କୋର୍ଟରେ ନିବେଦନ କରାଯିବ ବୋଲି ସେ କହିଛନ୍ତି। ଚାକିରିରେ ନ ଥାଇ ମଧ୍ୟ ପରିଚୟ ପତ୍ର ବ୍ୟବହାର ଏକ ଧର୍ତ୍ତବ୍ୟ ଅପରାଧ। ଏନେଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହେବ। ଧାରା ୩୬୩, ୩୭୬(ଡିଏ),୩୯୪ ଏବଂ ପୋକ୍ସୋ ଆକ୍ଟ ଆଧାରରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share