ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ ନିଜାମୁଦ୍ଦିନରୁ ଫେରିଥିଲେ

ପୁରୀ ଅଫିସ, ୪।୪: ପୁରୀ ଜିଲାରେ ଶୁକ୍ରବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି. ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମ ସଭାରେ ଯୋଗଦେଇ ଫେରିଥିଲେ। ତେବେ ଶୁକ୍ରବାର ରାତିରେ ଏହା ଜଣାପଡିବା ପରେ ଆକ୍ରାନ୍ତଙ୍କ ଘର କେଉଁ ଅଞ୍ଚଳରେ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢିଛି। ଯଦିଓ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ଜାଗାରେ ସାନିଟାଇଜ କାମ ଚାଲିଛି। ପିପିଲିର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସିଲ୍ କରାଯାଇ ସାନିଟାଇଜ କରାଯାଇଛି। ତେଣୁ ଆକ୍ରାନ୍ତ ପିପିଲି ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମ୍ପୃକ୍ତ ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଡ କେମିକାଲ ସ୍ପ୍ରେ କରିଛନ୍ତି। ଏଥିସହ ଜିଲାପାଳ ଓ ଏସପିଙ୍କ କାର୍ଯାଳୟ ଏବଂ ପୌରସଂସ୍ଥା କାର୍ଯାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ରାତିରେ ପୋଲିସ କୁମ୍ଭାରପଡା ଅଞ୍ଚଳରୁ ଜଣଙ୍କୁ ନେଇ କ୍ବାରାଣ୍ଟାଇନରେ ରଖିଛି। ସେ ମଧ୍ୟ ନିଜାମୁଦ୍ଦିନରୁ ଫେରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Share