ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ ୟୁପି ସ୍କୁଲ, କମାଶାସନ, ୬୨ନଂ. ଗାଦିବ୍ରହ୍ମ ପ୍ରାଇମେରୀ ସ୍କୁଲ, ବାଘମୁଣ୍ଡା ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୭୮ନଂ. ବୁଥ୍‌ ବଳଭଦ୍ରପୁର ନୋଡାଲ ୟୁପି ସ୍କୁଲ, ବୀରକେଶରୀପୁର। ୬୨ ନଂ. ବୁଥ୍‌ରେ ୮୦୦ ମତଦାତା, ୨୨୨ ବୁଥ୍‌ରେ ୮୧୬ ଏବଂ ୭୮ ନଂ. ବୁଥ୍‌ରେ ୧୩୬୭ ଜଣ ମତଦାତା ମତଦାନ କରିବେ। ଶନିବାର ସମ୍ପୃକ୍ତ ବୁଥ୍‌ରେ ପୋଲିଂ ପାର୍ଟି ଆବଶ୍ୟକ ସରଞ୍ଜାମ ଧରି ପହଞ୍ଚତ୍ ସାରିଛନ୍ତି। ପ୍ରତ୍ୟେକ ବୁଥ୍‌କୁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୋଲିଂ କର୍ମଚାରୀ ଯାଇଛନ୍ତି। ରବିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସାନି ନିର୍ବାଚନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୨୩ତାରିଖରେ ହେବାକୁ ଥିବା ଗଣତି ଲାଗି ସବୁ ପ୍ରସ୍ତୁତି ସରିଛି। ସୂଚନାଥାଉ କି, କମାଶାସନ ବୀରକେଶରୀପୁର ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ହୋଇଥିବାବେଳେ ବାଘମୁଣ୍ଡା ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍‌ ମିଳି ନ ଥିଲା। ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ଏହି ୩ଟି ବୁଥ୍‌ରେ ସାନି ମତଦାନ ହେବାକୁ ଯାଉଛି।

Share