ପୁରୀ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଯୁବକଂଗ୍ରେସର ଧାରଣା

ପୁରୀ ଅଫିସ,୭ା୧୧ : ପୁରୀ ଜିଲା ଚିକିତ୍ସାଳୟରେ ବୁଧବାର ଚିକିତ୍ସା ଅବହେଳା ଯୋଗୁ ଜଣେ ୫ମାସର ଶିଶୁକନ୍ୟାର ମୃତ୍ୟୁକୁ ଜିଲା ଯୁବ କଂଗ୍ରେସ ତିବ୍ର ପ୍ରତିବାଦ କରିଛି। ଶୁକ୍ରବାର ଜିଲା ସ୍ବାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦିଆଯାଇଛି। ଚିକିତ୍ସାରେ ଅବହେଳା କରିଥିବା ସମ୍ପୃକ୍ତ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଏନେଇ ସିଡିଏମ୍‌ଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ନେତା ଆଶୁତୋଷ ମିଶ୍ର, ମନୋଜ ମଣ୍ଡଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

ଯୁବ କଂଗ୍ରେସ ନେତା ଦାଶ କୁହନ୍ତି, ଜିଲା ସ୍ବାସ୍ଥ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ଦିନକୁ ଦିନକୁ ବିଗିଡ଼ିବାରେ ଲାଗିଛି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଚିକିତ୍ସାରେ ଅବହେଳା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅପରପକ୍ଷେ ପସୂତି ଓ ଶିଶୁ ଯତ୍ନ କେନ୍ଦ୍ରରେ ରୋଗୀ ଶୋଷଣ ଚାଲିଛି। ଗର୍ଭବତୀ ଏବଂ ଶିଶୁଙ୍କ ଚିକିତ୍ସା ଲାଗି ଟଙ୍କା ଦାବି କରୁଛନ୍ତି, ନଦେଲେ ହଇରାଣ କରାଯାଉଛି। ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ଦର୍ଶାଇ କଟକ ବଡ ମେଡିକାଲକୁ ପଠାଇ ଦେବାକୁ ଧମକ ଦିଆଯାଉଛି ବୋଲି ସେ ଗଣମାଧ୍ୟମରେ ଆଗରେ କହିଛନ୍ତି। ମିିଳିଥିବା ସୂଚନା ପ୍ରକାରେ, ବୁଧବାର ଚନ୍ଦନପୁର ଦଣ୍ଡା ସାହିର ଶ୍ରଦ୍ଧା ବାରିକଙ୍କ ୫ମାସ ଶିଶୁକନ୍ୟାର ଚିକିତ୍ସାରେ ଅବହେଳାରୁ ମତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ଭାରପ୍ରାପ୍ତ ସିଡିଏମ୍‌ଓ ବିରାଜ ରଥ କହିଛନ୍ତି।

ପ୍ରକାଶଯୋଗ୍ୟ, ନିକଟରେ ବ୍ରହ୍ମଗିରିର ଜଣେ ୧୬ବର୍ଷିୟ ନାବାଳକଙ୍କ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ନେଇ ପରିବାରଲୋକେ କୁମ୍ଭାରପଡା ଥାନା ଓ ସିଡିଏମ୍‌ଓ ଏବଂ ଏନଏଚଆରସିରେ ଅଭିଯୋଗ କରିଛନ୍ତି।

Share