ପୁରୀ ଜିଲା ଚିଠି: ତୀର୍ଥ ପୁଷ୍କରିଣୀକୁ ହତାଦର

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀ। ଏହା ଜଗନ୍ନାଥ ଧାମ ନାମରେ ବେଶ୍‌ ପରିଚିତ। ଏହି ପବିତ୍ର ଧାମରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ସେଗୁଡ଼ିକ ପ୍ରତି ଶ୍ରଦ୍ଧାଳୁଙ୍କ ରହିଛି ଗଭୀର ଆସ୍ଥା ଓ ବିଶ୍ୱାସ। ପ୍ରାୟ ଅଧିକାଂଶ ତୀର୍ଥ ପୁଷ୍କରିଣୀ ଦେବଦେବୀଙ୍କ ପୀଠସ୍ଥଳରେ ରହିଥିବାରୁ ପ୍ରତ୍ୟହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ସେଠାକୁ ଯାଇଥାନ୍ତି। ତୀର୍ଥ ପୁଷ୍କରିଣୀରେ ଗୋଡ, ହାତ ଧୋଇ ଠାକୁରଙ୍କୁ ଦର୍ଶନ କରିବା ସହ କେହି ମାନସିକ ବୁଡ଼ ମଧ୍ୟ ପକାଇଥାନ୍ତି। ପୁଣି ମହାପ୍ରଭୁଙ୍କ କେତେକ ନୀତି ମଧ୍ୟ ତୀର୍ଥ ପୁଷ୍କରିଣୀରେ ସମ୍ପାଦିତ ହୋଇଥାଏ। ହେଲେ ଶ୍ରୀକ୍ଷେତ୍ରର ପ୍ରମୁଖ ତୀର୍ଥ ପୁଷ୍କରିଣୀଗୁଡ଼ିକ ଏବେ ଅବହେଳିତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କାହାର ପାଚେରି ମେଲି ଅଁା କରିଛି ତ ଆଉ କେଉଁଠି ଆବର୍ଜନା ପାଣି ପଶୁଛି। ହେଲେ ପ୍ରଶାସନ ବେଫିକର। ସବୁ ଜାଣି ବି ଚୁପ୍‌। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ। ହେଲେ ଏହି ପବିତ୍ର ପୁଷ୍କରିଣୀର ବର୍ତ୍ତମାନ ସ୍ଥିତି ଅତ୍ୟନ୍ତ ଦୟନୀୟ। ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନର ତିନିପାର୍ଶ୍ୱରେ ପାଚେରି ଭୁଶୁଡି ପଡିଥିବାରୁ ତାହା ଅସୁନ୍ଦର ଦେଖାଯାଉଛି। ଭାଙ୍ଗି ଯାଇଥିବା ପାଚେରି ତିଆରି କରାଯାଉ ନ ଥିବା ବେଳେ ଅସ୍ଥାୟୀ ଭାବେ ବାଲିବସ୍ତା ଏବଂ ସିମେଣ୍ଟ କାନ୍ଥ ବାଡ଼ା କରାଯାଇଛି। ହେଲେ ବାଲିବସ୍ତାଗୁଡ଼ିକ ଫାଟି ବାଲି ପୁଷ୍କରିଣୀ ଭିତରେ ପଡ଼ୁଛି। ଅନେକ ସମୟରେ ସ୍ବେରେଜ ନଳା ଫାଟି ମଇଳା ପାଣି ପବିତ୍ର ଇନ୍ଦ୍ରଦ୍ୟୁମ୍ନରେ ମିଶୁଛି। ଶ୍ରୀକ୍ଷେତ୍ରର ଅନ୍ୟତମ ତୀର୍ଥ ପୁଷ୍କରିଣୀ ହେଲା ପାର୍ବତୀ ସାଗର। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିର ନିକଟରେ ରହିଛି ଏହି ତୀର୍ଥ ପୁଷ୍କରିଣୀ। ସୁଉଚ୍ଚ ପାଚେରି ଦ୍ୱାରା ଏହା ପରିବେଷ୍ଟିତ। ଲୋକନାଥ ମନ୍ଦିରକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ପୁଷ୍କରିଣୀରେ ଗୋଡ, ହାତ ଧୋଇ ଯାଇଥାନ୍ତି। ଶ୍ରାବଣ ମାସରେ ବୋଲବମ୍‌ ଭକ୍ତ ଏଠାରେ ସ୍ନାନ କରିଥାନ୍ତି। ସେହିପରି ସରନ୍ତି ସୋମବାର ରାତିରେ ଶ୍ରଦ୍ଧାଳୁ ଗାଧୋଇବା ସହ ଠାକୁରଙ୍କ ବାସନ ମଧ୍ୟ ଏହି ପୋଖରୀରେ ସଫା କରାଯାଏ। କିନ୍ତୁ ଗତବର୍ଷ ଅକ୍ଟୋବର ୨୦ରେ ଲଗାଣ ବର୍ଷା ଯୋଗୁ ଉତ୍ତର ପାର୍ଶ୍ୱରେ ପ୍ରାୟ ୧୦୦ ଫୁଟ ପାଚେରି ଭୁଶୁଡ଼ି ପଡ଼ିଥିଲା। ଏ ପର୍ଯ୍ୟନ୍ତ ପାଚେରି ମରାମତି ହୋଇନାହିଁ। ପୁରୀର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ମାର୍କଣ୍ଡେୟ ପୁଷ୍କରିଣୀ। ଏହାର ଅବସ୍ଥା ବି ତଦ୍ରୂପ। ପୂର୍ବ-ଉତ୍ତର କୋଣରେ ପ୍ରାୟ ୮୦ ଫୁଟର ପାଚେରି ଭୁଶୁଡ଼ି ପଡିଛି। ଗତବର୍ଷ ଏହା ଭୁଶୁଡି ପଡିଥିବାବେଳେ ବହୁ ଦାବି ପରେ ଏବେ ଏହାର ମରାମତି ଆରମ୍ଭ ହୋଇଛି। ଐତିହ୍ୟ, ସଂସ୍କୃତିକୁ ନେଇ ଗର୍ବ କରୁଥିବା ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀ ପ୍ରତି ହତାଦରକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି।

– ହେମନ୍ତ ନାୟକ

Share