ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶିଶୁକନ୍ୟା ଉଦ୍ଧାର

ପୁରୀ ଅଫିସ, ୨ା୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଡିଜିଟାଲ ଓ କମ୍ପ୍ୟୁଟର ଯୁଗରେ ବି କନ୍ୟାସନ୍ତାନଙ୍କୁ ନେଇ ଲୋକଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣା ଦୂର ହୋଇ ପାରି ନ ଥିବା ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି।
ସୂଚନା ଅନୁଯାୟୀ, ରକ୍ତ ଭଣ୍ଡାର ସମ୍ମୁଖରେ ଏକ ନବଜାତ ଶିଶୁକନ୍ୟାକୁ କପଡ଼ା ଗୁଡ଼ାଇ ରଖାଯାଇଥିବା ଗୁରୁବାର ଅପରାହ୍ନରେ ଦେଖିବାକୁ ମିଳିଥିଲା। ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ‘ସହାୟ’ ଅନୁଷ୍ଠାନର କର୍ମକର୍ତ୍ତା ଏହା ଦେଖି ଚିକିତ୍ସାଳୟ ପରିସରସ୍ଥ ଫାଣ୍ଡିକୁ ଜଣାଇଥିଲେ। ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ଟିମ୍‌କୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଅଧିକ ଚିକିତ୍ସା ଲାଗି ତାକୁ ପ୍ରସତି ଓ ଶିଶୁ ଯତ୍ନ କେନ୍ଦ୍ର (ଏମ୍‌ସିଏଚ୍‌)ର ଶିଶୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କହିଛନ୍ତି, ସମ୍ପୃକ୍ତ ଶିଶୁକନ୍ୟା ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତା’ର ଏବେ ଚିକିତ୍ସା ଚାଲିଛି। କେହି ଦାବିଦାର ନ ଆସିଲେ ପ୍ରଶାସନ ତା’ର ଲାଳନପାଳନ ଦାୟିତ୍ୱ ନେବ।